ଶାରୀଶୁଆ ପାହାଡରେ ଖଣି ଖନନ ଉପରେ ରହିତାଦେଶ

ଖଇରା,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ ପାଦଦେଶରେ ରହୁଥିବା ବାସିନ୍ଦାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶୁକ୍ରବାର କଲିକତା ଗ୍ରୀନ ଟ୍ରିବ୍ୟୁନାଲର ଏକ ଚିଠି ଖଇରା ତହସିଲରେ ପହଞ୍ଚିବା ପରେ ଖଣି ମାଲିକମାନଙ୍କ ଚିନ୍ତା ବଢିଯାଇଛି। ପାହାଡତଳି ଅଞ୍ଚଳରେ ରହୁଥିବା ହଜାର ହଜାର ଆଦିବାସୀ ସମ୍ପ୍ରଦାୟଙ୍କୁ ବଞ୍ଚିବାର ରାହା ଯୋଗାଇଛି ା ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ମୁତାବକ ଖଇରା ତହସିଲ ଅଧୀନରେ ଥିବା ସମସ୍ତ ଖଣିକୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।
କେନ୍ଦୁଝରର ରୁରାଲ ଅର୍ଗାନାଇଜେଶନ ଫର୍‌ ସୋସିଆଲ ଏମ୍ପାଉରମେଣ୍ଟ (ରୋଜ) ଏବଂ ଯାଜପୁରର ଆସୋସିଏଟେଡ ସୋସିଆଲ ସର୍ଭିସ ଏଜେନ୍ସି (ଆଶା) ତରଫରୁ ପାହାଡ ପରିବେଶ ନଷ୍ଟ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଆବେଦନ କରାଯାଇଥିଲା। ଟ୍ରିବ୍ୟୁନାଲ ୧୬ତାରିଖରେ ଦେଇଥିବା ରାୟରେ ଡିସେମ୍ବର ୪ତାରିଖରେ ପ୍ରକାଶିତ ହେବାକୁ ଥିବା ପରବର୍ତ୍ତୀ ରାୟ ପର୍ଯ୍ୟନ୍ତ ଖଣି ବ୍ୟବହାର ଉପରେ ରହିତାଦେଶ ଜାରି କରିଛନ୍ତି ା ଏ ସମ୍ପର୍କରେ ଉପଜିଲାପାଳ ନିଲୁ ମହାପାତ୍ରଙ୍କୁ ଯୋଗାଯୋଗ କରାଯିବାରୁ ଟ୍ରିବ୍ୟନାଲରୁ ଏହି ନିର୍ଦ୍ଦେଶ ଆସିବା କଥା ଶୁଣିଛନ୍ତି ା ବିଧିବଦ୍ଧ ଭାବେ ଚିଠି ପହଞ୍ଚିବା ପରେ ଅନ୍ୟାନ୍ୟ ବିଷୟ ଜଣାପଡିବ ବୋଲି କହିଛନ୍ତି ା ପ୍ରକାଶ ଥାଉ କି, ଶାରୀଶୂଆ ପାହାଡରେ ବେଆଇନ ଭାବେ ଖଣି ବ୍ୟବହାର ସାଙ୍ଗକୁ ବ୍ଲାଷ୍ଟିଂ ଯୋଗୁ ସାଧାରଣ ଜୀବନଯାପନ ପ୍ରଭାବିତ ହେଉଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଥିଲା ା ନିକଟରେ ୨୧ଟି ଖଣିରେ ୧୪୪ଧାରା ଜାରି ସତ୍ତ୍ୱେ ଖଣି ମାଫିଆମାନେ ଏହାକୁ ଖାତିର ନ କରି କେତେକ ରାଜସ୍ବ ଅଧିକାରୀଙ୍କୁ ଢାଲ କରି ସେହି ଖଣିଗୁଡିକରୁ ପଥର ଉତ୍ତୋଳନ କରୁଥିଲେ।