ଲଣ୍ଡନ, ୨୬ା୪ (ପି.ଟି.): କୋଭିଡ୍-୧୯ ବିରୋଧରେ ଚାଲିଥିବା ଲଢେଇ ପାଇଁ ଦାନ କରିବା ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ କରିବେ ଇଂଲଣ୍ଡର ଷ୍ଟାର ପେସ୍ ବୋଲର ଜେମ୍ସ ଆଣ୍ଡରସନ। କେପ୍ଟାଉନ୍ଠାରେ ସେ ଖେଳିଥିବା ଏକ ଟେଷ୍ଟ ମ୍ୟାଚରେ ବ୍ୟବହାର କରିଥିବା ଶାର୍ଟ, ବ୍ୟାଟ୍ ଏବଂ ଏକ ଉଇକେଟକୁ ସେ ନିଲାମ କରିବେ, ଯେଉଁଥିରେ କି ତାଙ୍କର ସ୍ବାକ୍ଷର ରହିଛି। ନିକଟରେ ଭାରତ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ମେଟ୍ ଏବି ଡି’ ଭିଲର୍ସ ସେମାନଙ୍କ ୨୦୧୬ ଆଇପିଏଲ୍ ବ୍ୟାଟ୍, ଶାର୍ଟ ଏବଂ ଗ୍ଲୋଭ୍ ଅନ୍ଲାଇନ୍ରେ ନିଲାମ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଜଣଙ୍କ ପୂର୍ବରୁ ଇଂଲଣ୍ଡର କେତେଜଣ କ୍ରିକେଟର ସେମାନଙ୍କର କିଛି ସ୍ମାରକୀ ନିଲାମ କରି ସାରିଛନ୍ତି। ଏଥିରୁ ଲବ୍ଧ ରାଶି ସେମାନେ ସେମାନଙ୍କ ଦେଶରେ କରୋନା ଭାଇରସ୍ ବିରୋଧରେ ଲଢେଇ ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ଦାନ କରିସାରିଛନ୍ତି।