ଶାଳଗଛ କଟାକୁ ଗ୍ରାମବାସୀଙ୍କ ବିରୋଧ

ସୋର, ୨୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଦେବଗିରି ପାଦଦେଶ ବନ୍ଧସାହି ସଂରକ୍ଷିତ ଜଙ୍ଗଲରେ ଅମ୍ଫନ ପ୍ରଭାବରେ ଶାଳଗଛର କେତେକ ଡାଳ ଭାଙ୍ଗିପଡିଥିଲା। ଜଙ୍ଗଲ ବିଭାଗ ଓ ବନ ସୁରକ୍ଷା ସମିତି ମିଳିତ ଭାବେ ଡାଳ କାଟିବା ପରିବର୍ତ୍ତେ ମୂଲ୍ୟବାନ ଶାଳକାଠ କାଟିନେଉଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରି କାଠଗୁଡ଼ିକ ଅଟକ ରଖିଛନ୍ତି।
ବାତ୍ୟାରେ ଏହି ଜଙ୍ଗଲରେ କେତେକ ଶାଳ ଗଛର ଡାଳ ଭାଙ୍ଗିଯାଇଥିଲା। ଗଛ ସୁରକ୍ଷିତ ଥିବା ବେଳେ ଜଙ୍ଗଲ ବିଭାଗ କର୍ମଚାରୀ ଏହାର ସୁଯୋଗ ନେଇ ଜଙ୍ଗଲ ସୁରକ୍ଷା କମିଟି ସହଯୋଗରେ ଜୀବନ୍ତ ଗଛଗୁଡ଼ିକ କାଟି ଗଦା କରିଥିଲେ। ଏହାପରେ ଭଲଗଛସବୁ କାଟିବା ସହିତ ଟ୍ରକରେ ବୋହି ନେବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏହି ସମୟରେ ବନ କର୍ମଚାରୀମାନେ ପହଞ୍ଚି କାଠକୁ ନେଇଯିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ତଥାପି ଗ୍ରାମବାସୀ କାଠ ନ ଛାଡ଼ିବାକୁ ଜିଦ୍‌ ଧରିବାରୁ କର୍ମଚାରୀମାନେ ବାଧ୍ୟ ହୋଇ ଫେରି ଆସିଥିବା ଜଣାଯାଇଛି। ଗ୍ରାମର ୱାର୍ଡ଼ମେମ୍ବର ମାନ ସିଂଙ୍କ ନେତୃତ୍ୱରେ ସପନା ସିଂ, ବୁଦୁ ସିଂ, ଗିରିଧାରୀ ନାୟକ, ଭାଲୁ ନାୟକ, ଶନ ପାତ୍ର, ଶୁକୁର ସିଂ, ଅନୁ ପାତ୍ର ପ୍ରମୁଖ କାଠକୁ ଜଗି ରହିବା ସହିତ ରେଞ୍ଜରଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି।