ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ବଦଳିଲେ ବିପିଏମ୍‌, ବିଏଏମ୍‌

ହାଟଡ଼ିହୀ,୧୯।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର(ବିପିଏମ୍‌) ଏବଂ ବ୍ଲକ ଆକାଉଣ୍ଟସ୍‌ ମ୍ୟାନେଜର (ବିଏଏମ୍‌)ଙ୍କ ବଦଳି ହୋଇଛି। ସେମାନଙ୍କ ସହ ମୋଟ ୫୧ଜଣଙ୍କର ବଦଳି ହୋଇଥିବା ସୂଚନା ମିଳିଛି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଅର୍ଡର ନଂ(୪୫୦୯/୧୮.୯.୧୯)ରେ ଉକ୍ତ ନିର୍ଦ୍ଦେଶନାମା ଜାରି ହୋଇଛି।

ସୂଚନାନୁଯାୟୀ, ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ୍‌ ଶୁଭେନ୍ଦୁ ଭୂଷଣ ପୁହାଣଙ୍କର ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଛି। ତାଙ୍କ ସ୍ଥାନରେ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିପିଏମ୍‌ ଚନ୍ଦନ କୁମାର ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ବିଏଏମ୍‌ ପ୍ରମୋଦ କୁମାର ମଲ୍ଲିକଙ୍କୁ ଫକୀରପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଉଦୟପୁରର କୈଳାସ ଚନ୍ଦ୍ର ସାହୁ ନିଯୁକ୍ତି ପାଇଛନ୍ତି। ବିଡିଏମ୍‌ ଦେବସ୍ମିତା ରାଉତଙ୍କର ଫକୀରପୁରରୁ ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଛି। ମାନସ କୁମାର ସାହୁଙ୍କୁ ଶାଳଣିଆଁ ସହ ଫକୀରପୁର ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ୱ ମିଳିଛି।