ଶାଳପତ୍ର ଚଉତିରେ ପରଷା ହେବ ଟିଫିନ

କେନ୍ଦୁଝର, ୧୩ା୯(ସ୍ବ.ପ୍ର.)-ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁହେବା ପରେ ଜିଲା ପ୍ରଶାସନ ଏଣିକି ସମସ୍ତ ସରକାରୀ ବୈଠକରେ ପ୍ଲାଷ୍ଟିକ, ସିନ୍ଥେଟିକ ବା ଫାଇବର ସାମଗ୍ରୀ ବଦଳରେ ଶାଳପତ୍ରରେ ତିଆରି ପାତ୍ର (ଚଉତି) ଓ ଅନ୍ୟ ପ୍ରକୃତି ଉପଯୋଗୀ ପାତ୍ର ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ଅନେକ ସ୍ବାଗତ କରୁଛନ୍ତି। ଏହି ସାମଗ୍ରୀ ଆଇଟିଡିଏ ସ୍କିମ୍‌ରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ପ୍ରସ୍ତୁତ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଫଳରେ ଏହା ଦ୍ୱାରା ଖଲିପତ୍ର ଚଉତି ପ୍ରସ୍ତୁତ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ତଥା ବନବାସୀମାନେ ବହୁ ପରିମାଣରେ ଉପକୃତ ହୋଇ ପାରିବେ ବୋଲି ମତପ୍ରକାଶ ପାଉଛି।
ଗ୍ରାମାଞ୍ଚଳରେ ଏହି ଶାଳପତ୍ରରେ ପ୍ରେସ ଖଲି ଓ ଚଉତି ପ୍ରସ୍ତୁତ ପାଇଁ ଆଇଟିଡିଏ ପକ୍ଷରୁ ସହାୟତା ଓ ପ୍ରୋତ୍ସାହନ କରିବାକୁ ଦାବି ହେଉଛି। ଏହା ଦ୍ୱାରା ବନବାସୀମାନେ ଉପକୃତ ହୋଇ ପାରିବେ ଏବଂ ଜାଳକାଠ ବିକି ଚଳୁଥିବା ମହିଳାପୁରୁଷମାନେ ଆଉ ଜଙ୍ଗଲ ନ କାଟି ସେହି କାମରେ ଲାଗିପାରିବେ। ଏହା ଦ୍ୱାରା ଜଙ୍ଗଲର ସୁରକ୍ଷା କରିହେବ ବୋଲି କୁହାଯାଉଛି। ଏଭଳି ସମସ୍ତ ସରକାରୀ ଓ ବେସରକାରୀ ସଭାସମିତି ବୈଠକରେ ପ୍ଲାଷ୍ଟିକ ବର୍ଜନ କରି ପିଇବା ପାଇଁ ଶୀଘ୍ର କ୍ଷୟ ହୋଇଯାଉଥିବା ପେପରରେ ନିର୍ମିତ ସାମଗ୍ରୀର ବ୍ୟବହାର ତଥା ପତ୍ରରେ ନିର୍ମିତ ଖଲି, ଚଉତି ଆଦି ବ୍ୟବହାର କରାଗଲେ ପରିବେଶର ସୁରକ୍ଷା ମଧ୍ୟ ହୋଇପାରିବ। ସେହିପରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରୋତ୍ସାହିତ କରାଗଲେ କାଗଜରେ ପ୍ରସ୍ତୁତ ଠୁଙ୍ଗା ତଥା ଅନ୍ୟ ସାମଗ୍ରୀ ବୋହିବା ପାଇଁ ବିଭିନ୍ନ ପ୍ରକାରର ପ୍ରକୃତି ଉପଯୋଗୀ ପାତ୍ର, ବ୍ୟାଗ ଆଦି ପ୍ରସ୍ତୁତ ହୋଇପାରିବ। ଏହା ଦ୍ୱାରା ବଜାରରେ ଦେଖାଦେଉଥିବା ଅଭାବ ଦୂର ହେବା ସହ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇପାରିବ ଏବଂ ଲୋକମାନେ ମଧ୍ୟ ପ୍ଲାଷ୍ଟିକକୁ ନା କହିପାରିବେ ବୋଲି ମତ ପ୍ରକାଶ ପାଉଛି ା ଏଠାରେ ସୂଚନାଯୋଗ୍ୟ ଯେ ବହୁ ଆଗରୁ ଏହି ପତ୍ର ଖଲ,ଚଉତି, ପେପର ଠୁଙ୍ଗା, କନା, ଝୋଟରେ ପ୍ରସ୍ତୁତ ବ୍ୟାଗ, ଅଖା ଆଦିର ବହୁଳ ବ୍ୟବହାର ଥିଲା ା ଏବେ ମଧ୍ୟ ଏସବୁର ବ୍ୟବହାର ରହିଛି। କିନ୍ତୁ ଚାହିଦା ନ ଥିବାରୁ ଏହାକୁ ପ୍ରସ୍ତୁତ କରି ଗୁଜୁରାଣ ମେଣ୍ଟାଉଥିବା ବହୁ ପରିବାର ଅଭାବ ଅନଟନରେ ରହିଆସୁଥିବା ବେଳେ ଏବେ ପୁଣି ସେସବୁର ବ୍ୟବହାର ହେବା ସେମାନଙ୍କ ମଧ୍ୟରେ ଆଶା ଉଜ୍ଜୀବିତ ହେଉଛି। ପ୍ରକାଶ ଯେ ପ୍ଲାଷ୍ଟିକ ଉପରେ ସରକାର କଟକଣା ଲଗାଇଥିଲେ ହେଁ କେନ୍ଦୁଝର ଜିଲାରେ ଚାଲିଛି ଅବାଧ ପ୍ଲାଷ୍ଟିକ ଜରି, ବୋତଲ ଆଦିର ବ୍ୟବହାର। କେତେକ ପ୍ରଭାବଶାଳୀ ବ୍ୟକ୍ତି ଏହି କାରବାର ପଛରେ ଥିବାରୁ ପ୍ରଶାସନ ଧରପଗଡ କରୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ପ୍ଲାଷ୍ଟିକର ବିକଳ୍ପ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଅନ୍ୟ ବଡି, ପାମ୍ପଡ, ଖଲିପତ୍ର ପ୍ରସ୍ତୁତ କରିବା ଭଳି ରୋଜଗାରକ୍ଷମ ପାଇଁ ତାଲିମ ଦେବା ନେଇ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।