ଶାଶୁ, ଶ୍ୱଶୁର, ଦିଅରଙ୍କ ମାଡ଼ରେ ବୋହୂ ଗୁରୁତର

ଖଲ୍ଲିକୋଟ,୨୮ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ମହେଶ୍ୱରପୁର ଗ୍ରାମରେ ବୁଧବାର ଶାଶୁ, ଶ୍ୱଶୁର ଓ ଦିଅରଙ୍କ ମାଡ଼ରେ ବୋହୁ ଗୁରୁତର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ନଂ. ୩୪୭/୧୯ରେ ମାମଲା ରୁଜୁ କରି ଖଲ୍ଲିକୋଟ ପୋଲିସ ତଦନ୍ତ ଚଳାଇଛି। ମାଣିକପୁରର ଭରତ ଦୁହୁଡ଼ିଙ୍କ ଝିଅ ରଞ୍ଜନା ୬ ବର୍ଷ ପୂର୍ବେ ମହେଶ୍ୱରପୁର ଗଁାରେ ବୈଦିକ ରୀତିନୀତି ପ୍ରକାରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଝିଅର ବାପା ଯୌତୁକ ପ୍ରଦାନ କରିଥିଲେ। କିନ୍ତୁ କିଛିଦିନ ପରେ ଅଧିକ ଯୌତୁୁକ ଦାବି କରି ଶାଶୁ ଘର ଲୋକେ ରଞ୍ଜନାଙ୍କୁ ନିର୍ଯାତନା ଦେଉଥିଲେ। ଏଥିପାଇଁ ଦୁଇଥର ଥାନାରେ ଆସି ଏହାର ସମାଧାନ ହୋଇଥିଲା। ରଞ୍ଜନାଙ୍କ ସ୍ବାମୀ ରାଜ୍ୟ ବାହାରକୁ କାମ କରୁଛନ୍ତି। ବୁଧବାର ରଞ୍ଜନା ଘରେ କାମ କରୁଥିବା ବେଳେ କୌଣସି କାରଣରୁ ଶାଶୁ, ଶ୍ୱଶୁର ଓ ଦିଅରଙ୍କ ସହ ବଚସା ହୋଇଥିଲା। ଏଥିରେ ୩ଜଣ ରାଗିଯାଇ କାଠ ଫାଳିଆରେ ରଞ୍ଜନାଙ୍କୁ ମାଡ଼ ମାରି ବାମ ହାତ ଭାଙ୍ଗି ଘରୁ ବାହାର କରି ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ରଞ୍ଜନାଙ୍କୁ ଖଲ୍ଲିକୋଟ ଡାକ୍ତରଖାନା ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏ ନେଇ ଭରତ ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ଶ୍ୱଶୁର ଘର ଲୋକେ ଏହାକୁ ଅସ୍ବୀକାର କରିଛନ୍ତି।