ଶାଶ୍ୱତ ଯୋଶୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଭିଯୋଗ ଆଣିଲେ ଶିଷ୍ୟା

ଭୁବନେଶ୍ୱର, ୭ା୯(ବ୍ୟୁରୋ): ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଶିଷ୍ୟା। ଗୁରୁ ଶାଶ୍ୱତ ଦୁର୍ବ୍ୟବହାର କରିବା ସହ ଯୌନ ନିର୍ଯାତନା ଦେଉଥିବା ନେଇ ଗୁରୁଦିବସ ଦିନ ସୋସିଆଲ ମିଡିଆରେ ଶିଷ୍ୟା ଜଣକ ଏକ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି। ଏହାସହ ଶାଶ୍ୱତ ଗୁରୁ ହେବାର ଯୋଗ୍ୟ ନୁହନ୍ତି ବୋଲି ମଧ୍ୟ ସେ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଶାଶ୍ୱତଙ୍କ କେତେଜଣ ଛାତ୍ରୀଛାତ୍ର ତାଙ୍କ ସମର୍ଥନରେ ମଧ୍ୟ କହିଛନ୍ତି। ସେହିପରି ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରିବା ପାଇଁ ତାଙ୍କର କେତେଜଣ ଶିଷ୍ୟା ଏଭଳି ଷଡ଼ଯନ୍ତ୍ର ରଚିଥିବା ଶାଶ୍ୱତ ଅଭିଯୋଗ ଆଣି ସେମାନଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ଗତ ଜୁଲାଇରେ ତାଙ୍କର ଆମେରିକାରେ ଦେଢ଼ମାସର କାର୍ଯ୍ୟକ୍ରମ ଥିଲା। ସେ ପୁରୁଣା ପିଲାଙ୍କୁ ନ ନେଇ କେତେଜଣ ନୂଆ ପିଲାଙ୍କୁ ସେଠାକୁ ନେଇଥିଲେ। ଫଳରେ ପୁରୁଣା ପିଲା କ୍ରୋଧାନ୍ବିତ ହୋଇ ଏଭଳି ମିଥ୍ୟା ଅଭିଯୋଗ ଆଣି ସୋସିଆଲ ମିଡିଆରେ ଅପପ୍ରଚାର କରୁଛନ୍ତି। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।
ଲିଙ୍ଗରାଜ ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର କହିଛନ୍ତି ଯେ, ଏ ବାବଦରେ ଶିଷ୍ୟାଙ୍କ ପକ୍ଷରୁ କୌଣସି ଅଭିଯୋଗ ଆସିନାହିଁ। କେବଳ ଶାଶ୍ୱତ ଏକ ଅଭିଯୋଗ କରିଛନ୍ତି। ତାଙ୍କର ପୁରୁଣା ଶିଷ୍ୟା ଉଦ୍ଦେଶ୍ୟମୂଳକଭାବେ ସୋସିଆଲ ମିଡିଆରେ ତାଙ୍କୁ ଗାଳିଗୁଲଜ କରିବା ସହ ନିନ୍ଦା କରିଛନ୍ତି। ଏନେଇ କୌଣସି ମାମଲା ରୁଜୁ ହୋଇନାହିଁ। କେବଳ ଷ୍ଟେଶନ ଡାଏରୀ କରାଯାଇଛି।