ଶାସକ ସଭ୍ୟଙ୍କ ଅଭିଯୋଗ: ଡିଏମ୍‌ଏଫ୍‌ ପାଣ୍ଠି ଅନ୍ୟ ଅଞ୍ଚଳରେ ଖର୍ଚ୍ଚ ହେଉଛି

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ(ଡିଏମ୍‌ଏଫ୍‌) ଟଙ୍କା ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ ହେଉନାହିଁ। ଜିଲାପାଳମାନେ ମନଇଚ୍ଛା ଏହି ଅର୍ଥ ଖର୍ଚ୍ଚ କରୁଛନ୍ତି। ଏଥିଯୋଗୁ ପ୍ରଭାବିତ ଅଞ୍ଚଳର ବିକାଶ ହୋଇପାରୁନାହିଁ। ଏହାକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଗୁରୁବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରାଙ୍କଠାରୁ କୈଫିୟତ ତଲବ କରିଥିଲେ। ସଦସ୍ୟଙ୍କ ଉଦ୍‌ବେଗକୁ ଦେଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ଡିଏମ୍‌ଏଫ୍‌ ଗାଇଡ୍‌ଲାଇନ୍‌ ଜିଲାପାଳମାନେ ମାନୁ ନାହାନ୍ତି ବୋଲି ବିଧାୟକମାନେ ଅଭିଯୋଗ କରୁଛନ୍ତି। ଏହାକୁ ଯେପରି କଡ଼ାକଡ଼ିଭାବେ ପାଳନ କରାଯାଇପାରିବ ଏନେଇ ମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ।

Share