ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ ନାହିଁ ଟଙ୍କାଟିଏ କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଏବଂ ମାଲାୟଲମ୍‌ ପ୍ରଭୃତି ଭାଷାକୁ କେନ୍ଦ୍ର ସରକାର ଅବହେଳା କରୁଛନ୍ତି। ଅପରପକ୍ଷରେ ମାତ୍ର ୧୫,୦୦୦ ଲୋକ କହୁଥିବା ସଂସ୍କୃତ ଭାଷାର ପ୍ରସାର ଲାଗି ଧ୍ୟାନ ଦିଆଯାଉଛି। କଂଗ୍ରେସ ନେତା ଜୟରାମ ରମେଶ ସୋମବାର ରାଜ୍ୟ ସଭାରେ ଏହା କହି ଚିନ୍ତା ପ୍ରକଟ କରିଛନ୍ତି।
ଉଚ୍ଚସଦନରେ ‘କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଧେୟକ-୨୦୧୯’ ସଂକ୍ରାନ୍ତ ଆଲୋଚନାରେ ବକ୍ତବ୍ୟ ରଖି ଜୟରାମ କହିଥିଲେ ଯେ, କେନ୍ଦ୍ର ସରକାର ସଂସ୍କୃତର ପ୍ରସାର ପାଇଁ ଲାଗିପଡ଼ିଛନ୍ତି। ଫଳରେ ଅନ୍ୟ ଆଞ୍ଚଳିକ ଭାଷା ଗୁରୁତ୍ୱ ପାଇପାରୁ ନାହିଁ, ଯାହା ସେଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ତଥ୍ୟକୁ ଭିତ୍ତିକରି ଜୟରାମ କହିଥିଲେ ଯେ, ଗତ ୩ ବର୍ଷରେ ସଂସ୍କୃତକୁ ଲୋକପ୍ରିୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ସଂସ୍କୃତ ଅପେକ୍ଷା ବହୁଳ କଥିତ ଏବଂ ବ୍ୟବହାର ହେଉଥିବା ଓଡ଼ିଆ ଓ ମାଲାୟଲମ୍‌ ପାଇଁ ଟଙ୍କାଟିଏ ବିନିଯୋଗ କରାଯାଇନାହିଁ। ସଂସ୍କୃତ ପାଇଁ ୬୫୦ କୋଟି ଟଙ୍କା, ତାମିଲ ପାଇଁ ୨୪ କୋଟି, କନ୍ନଡ଼ ଓ ତେଲୁଗୁ ପାଇଁ ୩ କୋଟି ଲେଖାଏ ବ୍ୟୟ କରାଯାଇଥିବା ବେଳେ ଓଡ଼ିଆ ଓ ମାଲାୟଲମ୍‌ ପାଇଁ ଏକ ଟଙ୍କା ଖର୍ଚ୍ଚ ହୋଇ ନାହିଁ ବୋଲି ରମେଶ କହିଛନ୍ତି। ଭାରତରେ ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ୍‌ ଏବଂ ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ତାମିଲ କେବଳ ତାମିଲନାଡୁର ଭାଷା ନୁହେଁ; ଓଡ଼ିଆ ମଧ୍ୟ ଏକ ଜାତୀୟ ଭାଷା। କୋଟି କୋଟି ଲୋକଙ୍କ ଦ୍ୱାରା ଏହି ଭାଷା ବ୍ୟବହୃତ ହୋଇଆସୁଛି। ଅପରପକ୍ଷରେ ମାତ୍ର ୧୫,୦୦୦ ଲୋକ କହୁଥିବା ଭାଷା ପାଇଁ ୬୫୦ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହା ବିଶ୍ୱାସ କରି ହେଉ ନ ଥିଲେ ମଧ୍ୟ ତଥ୍ୟ ଆଧାରିତ ବୋଲି ଜୟରାମ କହିଥିଲେ।
ଅପରପକ୍ଷରେ ବିଜେଡି ରାଜ୍ୟ ସଭା ଏମ୍‌ପି ପ୍ରଶାନ୍ତ ନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଏହି ଭାଷାର ପ୍ରସାର ନେଇ ଅଣାଯାଇଥିବା ବିଲ୍‌କୁ ସ୍ବାଗତ କରିଥିଲେ। ସଂସ୍କୃତରେ ଭାଷଣ ଦେଇ ସେ କହିଥିଲେ, ସଂସ୍କୃତ ଏକ ପ୍ରାଚୀନ ଭାଷା ଓ ବିଶ୍ୱର କଲ୍ୟାଣ ପାଇଁ ଏହାର ରକ୍ଷଣାବେକ୍ଷଣ ହେବା ଦରକାର। ଏପରି କି ଭାରତୀୟ ଇତିହାସ ପାଇଁ ସଂସ୍କୃତର ଅବଶ୍ୟକତା ରହିଛି। ଲୋକେ ସଂସ୍କୃତକୁ କେବଳ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱ ଦେଇଥାଆନ୍ତି। ବାସ୍ତବରେ ପ୍ରାଚୀନ କାଳରେ ରଚିତ ବହୁ ଗ୍ରନ୍ଥ ଓ ବୈଜ୍ଞାନିକ କୃତି ସଂସ୍କୃତରେ ଲେଖାଯାଇଥିଲା ବୋଲି ନନ୍ଦ କହିଛନ୍ତି।

Share