ଭୁବନେଶ୍ୱର,୧୮।୨(ବ୍ୟୁରୋ): ଭାରତୀୟ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କୁଚିପୁଡ଼ି ନୃତ୍ୟଶିଳ୍ପୀ ତଥା ଜେଏସ୍ପିଏଲ୍ ଫାଉଣ୍ଡେଶନ ଅଧ୍ୟକ୍ଷା ସାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ‘ଉର୍ବଶୀ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୮୧ତମ ଜନ୍ମଦିବସ ଉପଲକ୍ଷେ ରବିବାର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମ ‘କମଳ ଦେଶର ରାଜକୁମାର’ରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର, ସ୍ଥପତି ରଘୁନାଥ ମହାପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ଏମ୍ପି ପ୍ରସନ୍ନ ପାଟ୍ଟଶାଣୀଙ୍କ ଉପସ୍ଥିତିରେ ସେ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ସେ ପ୍ରଫୁଲ୍ଲ କର ଫାଉଣ୍ଡେଶନ ଏବଂ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇବା ସହ କଳା ଓ ନୃତ୍ୟ ମୋ ଜୀବନ ବୋଲି ପ୍ରକାଶ କରିଥିଲେ। ଭାରତୀୟ ଶାସ୍ତ୍ରୀୟ ନୃତ୍ୟକଳାର ବିକାଶ ମୋ ଜୀବନର ଲକ୍ଷ୍ୟ ଏବଂ ବଞ୍ଚିଥିବା ପର୍ଯ୍ୟନ୍ତ ଏହାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଜାରି ରଖିବି ବୋଲି ସେ କହିଥିଲେ। ଓଡ଼ିଶାର କଳା, ସଂସ୍କୃତି ଓ ଏଠାକାର ଲୋକଙ୍କ ବିକାଶ ନିମନ୍ତେ ଅଧିକ କାର୍ଯ୍ୟ କରିବା ଲାଗି ଏହି ପୁରସ୍କାର ପ୍ରୋତ୍ସାହିତ କରିବ ବୋଲି ସାଲୁ ଜିନ୍ଦଲ କହିଥିଲେ।