Categories: ଖେଳ

ଶାସ୍ତ୍ରୀ, ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ,୧୩।୬(ପି.ଟି.)- ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ଓ ତାଙ୍କ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ଚଳିତ ବିଶ୍ୱକପ୍‌ ପରେ ଶେଷ ହେଉଥିବା ବେଳେ ଏହାକୁ ବୃଦ୍ଧି କରାଯାଇଛି। ବିଶ୍ୱକପ୍‌ ପରେ ଏମାନଙ୍କ ଚୁକ୍ତି ଶେଷ ହେବାର କାର୍ଯ୍ୟକ୍ରମ ଥିଲା। ତେବେ କ୍ରିକେଟ ପ୍ରଶାସକ କମିଟି (ସିଓଏ) ଏମାନଙ୍କ କାର୍ଯ୍ୟକାଳକୁ ଆଉ ୪୫ ଦିନକୁ ବୃଦ୍ଧି କରିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସିଓଏ ମୁଖ୍ୟ ବିନୋଦ ରାଏ ବିଶ୍ୱକପ୍‌ରେ ବିଭିନ୍ନ ପଦ ପାଇଁ ସାକ୍ଷାତକାର ନେବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ୍ବେବସାଇଟ୍‌ରେ ସିଓଏ ତା’ର ବୈଠକ ନେଇ ବିବରଣୀ ଅପ୍‌ଲୋଡ୍‌ କରିଛି।
ବୈଠକରେ ଆଲୋଚନା କରିବାପରେ କାର୍ଯ୍ୟକାଳ ବୃଦ୍ଧି କରିବାକୁ ସିଓଏ ନିଷ୍ପତ୍ତି ନେଇଛି। ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର, ବୋଲିଂ କୋଚ୍‌ ଭାରତ ଅରୁନ ଓ ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧରଙ୍କୁ ନେଇ ଭାରତୀୟ ସପୋର୍ଟ ଷ୍ଟାଫ୍‌ ଗଠିତ। ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିରେ ସପୋର୍ଟଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ତଥା ଚୁକ୍ତି ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଥିଲା। ୨୦୧୭ରେ ଅନିଲ କୁମ୍ବଲେ ପଦରୁ ଓହରିବା ପରେ ଶାସ୍ତ୍ରୀ ଭାରତର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଥିଲେ। ନିଯୁକ୍ତି ବେଳେ ଶାସ୍ତ୍ରୀ ଓ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧିନେଇ କୌଣସି କ୍ଲଜ ନଥିଲା। ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ହୋଇଛି।

Share