Categories: ଜାତୀୟ

ଶାହଙ୍କୁ ମିଳିପାରେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯ା୫: ମେ’ ୩୦ରେ ପ୍ରଧାନମନ୍ତ୍ରୀଭାବେ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଶପଥଗ୍ରହଣ କରିବେ। ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ, ସେନେଇ ଅଙ୍କକଷା ଚାଲିଥିବାବେଳେ ପ୍ରଥମ ଥର ଲୋକ ସଭା ନିର୍ବାଚନ ଲଢ଼ି ଗାନ୍ଧିନଗର ଆସନରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ଜିତିଥିବା ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମିଳିବାର ସମ୍ଭାବନା ରହିଛି। ଅରୁଣ ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ଏଥର ଶାହଙ୍କୁ ଅର୍ଥ ମନ୍ତ୍ରଣାଳୟ ମିଳିପାରେ ବୋଲି କୁହାଯାଉଛି। ଶାହ ମନ୍ତ୍ରୀ ହେଲେ ‘ଓ୍ବାନ୍‌ ମ୍ୟାନ୍‌ ଓ୍ବାନ୍‌ ପୋଷ୍ଟ’ ନ୍ୟାୟରେ ତାଙ୍କୁ ଭାଜପା ଅଧ୍ୟକ୍ଷ ପଦ ଛାଡ଼ିବାକୁ ପଡ଼ିବ। ଏନେଇ ଦଳ ପକ୍ଷରୁ ପ୍ରସ୍ତୁତି ସରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଦୁଇ କେନ୍ଦ୍ରମନ୍ତ୍ରୀ ସାଙ୍ଗଠନିକ କାର୍ଯ୍ୟ ଠିକ୍‌ଭାବେ ତୁଲାଇ ପାରିବେ ବୋଲି ଭାଜପା ଆଶା ରଖିଛି। ଦୁହିଁଙ୍କ ମଧ୍ୟରୁ ଜଣେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିବେ ବୋଲି ଚର୍ଚ୍ଚା ହେଉଛି।
ମୋଦି ଏଜେଣ୍ଡାକୁ ଗୁରୁତ୍ୱ ଦେବା ଲାଗି ସରକାରରେ ଶାହଙ୍କ ଆବଶ୍ୟକତା ରହିଛି। ମୋଦିଙ୍କ ଚାଣକ୍ୟ ବୋଲି କୁହାଯାଉଥିବା ଶାହଙ୍କ ନେତୃତ୍ୱ ଓ ଦଳକୁ ଆଗେଇ ନେବାରେ ସାଙ୍ଗଠନିକ ଇଚ୍ଛାଶକ୍ତି ବିରଳ। ଏଇ ଦୁଇ ନେତା ସରକାରର ରୂପରେଖ ସ୍ଥିର କରିବା ସହ କାହାକୁ କେଉଁ ମନ୍ତ୍ରଣାଳୟ ଦିଆଯିବ ସେନେଇ ଚୂଡାନ୍ତ ନିଷ୍ପତ୍ତି ନେବେ। ଯୁବ ଓ ଅଭିଜ୍ଞ ପ୍ରାର୍ଥୀଙ୍କୁ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଛି।

Share