Categories: ଜାତୀୟ

ଶାହଜାହାନପୁର ମାମଲା: ରାଜସ୍ଥାନରୁ ମିଳିଲେ ନିଖୋଜ ଛାତ୍ରୀ

ନୂଆଦିଲ୍ଲୀ,୩୦।୮: ଭାଜପା ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶ ଶାହଜାହାନପୁରର ଏସ୍‌.ଏସ୍‌. ଲ କଲେଜର ନିଖୋଜ ଛାତ୍ରୀଙ୍କ ମିଳିଲା ପତ୍ତା। ଦୀର୍ଘ ୭ ଦିନ ପରେ ରାଜସ୍ଥାନର ଜୟପୁରରୁ ନିଖୋଜ ଛାତ୍ରୀଙ୍କୁ ଉତ୍ତରପ୍ରଦେଶ ପୋଲିସ ଉଦ୍ଧାର କରିଛି ବୋଲି ଡିଜିପି ସୂଚନା ଦେଇଛନ୍ତି। ଉକ୍ତ ଛାତ୍ରୀ ଜଣଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କୁ କେହି ଅପହରଣ କରି ନ ଥିବା ପୋଲିସ କହିଛି। ଉତ୍ତରପ୍ରଦେଶ ପୋଲିସର ଏକ ସ୍ପେଶିଆଲ ଟିମ୍‌ ସେଠାକୁ ଯାଇ ଛାତ୍ରୀଙ୍କୁ ଉଦ୍ଧାର କରିବା ପରେ ରାଜସ୍ଥାନରୁ ସିଧା ଶାହଜାହାନପୁରରେ ଥିବା ତାଙ୍କ ପରିବାରଲୋକଙ୍କ ସହ ଭେଟ କରାଇବାକୁ ନେବ। ସୂଚନାଯୋଗ୍ୟ, ଉକ୍ତ ଛାତ୍ରୀ ଜଣଙ୍କ ଅଭିଯୋଗ ଆଣିଥିଲେ କି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଚିନ୍ମୟାନନ୍ଦ ତାଙ୍କୁ ଓ ଅନ୍ୟ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ। ସେ ଫେସବୁକ୍‌ ଲାଇଭ୍‌ରେ ଏହି ଅଭିଯୋଗ ଆଣିବା ପରେ ନିଖୋଜ ହୋଇଯାଇଥିଲେ। ଏହାପରେ ୨୭ ଅଗଷ୍ଟରେ ତାଙ୍କ ପରିବାର କଲେଜର ନିର୍ଦ୍ଦେଶକ ଓ ଚିନ୍ମୟାନନ୍ଦ ଛାତ୍ରୀଙ୍କୁ ଅପହରଣ କରିଥିବା ଅଭିଯୋଗରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରିଥିଲେ। ତେବେ ଏହି ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିବେ।

Share