ଶାହାଙ୍କ ଅଧ୍ୟକ୍ଷତାରେ ବସିବ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ: ଉଠିବ ଓଡ଼ିଶା କୋଇଲା ରୟାଲ୍‌ଟି ପ୍ରସଙ୍ଗ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକ ଶୁକ୍ରବାର ଓଡ଼ିଶା ଲୋକସେବା ଭବନରେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ବିହାର ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସାମିଲ ହେବେ। ଏହି ବୈଠକରେ ପ୍ରାୟ ୫୦ଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ। କୋଇଲା ଖଣି ପରିଚାଳନା ଓ ରୟାଲ୍‌ଟି ପ୍ରସଙ୍ଗରେ ଆଲୋଚନା କରାଯିବ। ଆନ୍ତଃରାଜ୍ୟ ଜଳବିବାଦ, ରେଳପ୍ରକଳ୍ପ ପାଇଁ ଜମି ଓ ଜଙ୍ଗଲ ମଞ୍ଜୁରୀ ପ୍ରସଙ୍ଗ ମଧ୍ୟ ଉଠିବ। ଏହାଛଡ଼ା ୧୧ ହଜାର ଗ୍ରାମରେ ମୋବାଇଲ ସେବା ଉପଲବ୍ଧ ନ ଥିବା କଥା ମଧ୍ୟ ଉଠାଯିବ ବୋଲି ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇ କହିଛନ୍ତି।

ପ୍ରକାଶ ଯେ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ପୂର୍ବାଞ୍ଚଳ ପରିଷଦ ବୈଠକ ବସିବ। ଦୀର୍ଘ ୨୯ ବର୍ଷ ପରେ ଏହି ବୈଠକ ଓଡ଼ିଶାରେ ହେବାକୁ ଯାଉଛି। ଏହାକୁ ନେଇ ଶୁକ୍ରବାର ଶାହା ଓଡ଼ିଶା ଆସୁଛନ୍ତି। ପୂର୍ବରୁ ଫେବୃୟାରୀ ୧୨ରେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଶାହାଙ୍କ ଗସ୍ତ ସମ୍ପର୍କିତ କୌଣସି ସୂଚନା ନ ମିଳିବାରୁ ଏହାକୁ ବାତିଲ କରାଯାଇଥିଲା।

Share