ଶାହାଙ୍କ ଓଡ଼ିଶା ଗସ୍ତକୁ ଜିଲା କଂଗ୍ରେସର ବିରୋଧ

ପୁରୀ ଅଫିସ,୨୯।୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ପୁରୀ ଜିଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଏ ନେଇ ଶୁକ୍ରବାର ଟାଉନ ହଲ୍‌ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲା। ସେଠାରେ ଶାହାଙ୍କ ବିରୋଧରେ ନାରାବାଜି ଦିଆଯିବା ସହ ତାଙ୍କ ଫଟୋଚିତ୍ରକୁ ପୋଡ଼ାଯାଇଥିଲା। ନାଗରିକତ୍ୱ ସଂଶୋଧିତ ଆଇନ(ସିଏଏ)କୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ସୃଷ୍ଟି ହେଉଛି। ଦିଲ୍ଲୀରେ ସ୍ଥିତି ବର୍ତ୍ତମାନ ସଙ୍ଗିନ ହୋଇପଡିଛି। ଦିଲ୍ଲୀ ପୋଲିସର ନିଷ୍କ୍ରିୟତା, କେନ୍ଦ୍ର ସରକାରଙ୍କ ଅପରିପକ୍ବତା ଯୋଗୁ ଗୋଇନ୍ଦା ବିଫଳତା କାରଣରୁ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ୨୦୦୨ରେ ଶାହା ଗୁଜରାଟର ମନ୍ତ୍ରୀ ଥିବାବେଳେ ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ଘଟି ପ୍ରାୟ ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଶାହା କେନ୍ଦ୍ର ଗୃହମନ୍ତ୍ରୀ ଅଛନ୍ତି। ମାତ୍ର ଦିଲ୍ଲୀ ହିଂସାକାଣ୍ଡରେ ପୋଲିସ ଏକପ୍ରକାର ନୀରବଦ୍ରଷ୍ଟା ସାଜିଛି। ଫଳରେ ଦିଲ୍ଲୀ ଆଜି ଅଶାନ୍ତ ହୋଇପଡ଼ିଛି। ଅନେକ ଲୋକଙ୍କ ଜୀବନ ଯାଇଥିବାବେଳେ ବ୍ୟାପକ ମାତ୍ରାରେ ଧନହାନୀ ଘଟିଛି। ଗୋଟିଏ ପଟେ ସିଏଏକୁ ନେଇ ଦିଲ୍ଲୀରେ ହିଂସାକାଣ୍ଡ ଥମୁ ନ ଥିବାବେଳେ ଅନ୍ୟପଟେ ସିଏଏର ଆବଶ୍ୟକତା ବୁଝାଇବା ପାଇଁ ଶାହାଙ୍କ ଓଡ଼ିଶା ଆସୁଥିବାରୁ ଜିଲା କଂଗ୍ରେସ ବିରୋଧ କରୁଛି। ଦିଲ୍ଲୀର ଏହି ସ୍ଥିତି ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ କଂଗ୍ରେସ ଦାୟୀ କରି ତାଙ୍କର ଇସ୍ତଫା ଦାବି କରିବା ସହ ଶାହଙ୍କ ଫଟୋଚିତ୍ର ଦାହ କରିଥିଲା। ଜିଲା କଂଗ୍ରେସ ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା, ପିସିସି ମୁଖପାତ୍ର ବିନାୟକ ଦାସମହାପାତ୍ର, ବିଦ୍ୟୁଲତା ଆଚାର୍ଯ୍ୟ, ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ବିଶ୍ୱନାଥ ଦାଶ, ଜୟନାରାୟଣ ପଟ୍ଟନାୟକ, ସ୍ବାଧୀନ ପଣ୍ଡା, ଆଶୁତୋଷ ମିଶ୍ର, କାହ୍ନୁଚରଣ ପ୍ରଧାନ, ଲାଲାଟେନ୍ଦୁ ଦାଶ, ସ୍ମୃତିରଞ୍ଜନ ପତି, କାଳୀଚରଣ ନାୟକ, ସୁକାନ୍ତ ପ୍ରଧାନ, ଉମାପଦ ମିଶ୍ର, ଆରତି ସାହୁ, ଅମରେନ୍ଦ୍ର ପାଇକରାୟ, ରଜତ ସାହୁ, ସେକ୍‌ ଅଇନୁଲ ହକ୍‌ ପ୍ରମୁଖ ଉପସ୍ଥିତ ଥିଲେ।

Share