ଶାହାଙ୍କ ଗସ୍ତକୁ ପୁରୀ ଜିଲା କଂଗ୍ରେସର ବିରୋଧ, ଇସ୍ତଫା ଦାବି କରି କୁଶପୁତ୍ତଳିକା ଦାହ

ପୁରୀ ଅଫିସ,୨୮।୨: ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ହିଂସା ଉଗ୍ରରୂପ ଧାରଣ କରିଛି । ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇ ବର୍ତ୍ତମାନ ସୁଦ୍ଧା ୪୨ଜଣଙ୍କ ମୃତ୍ୟୁ ଘଟିଲାଣି। ଏପରିସ୍ଥିତିରେ ସିଏଏ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିଛନ୍ତ। ଏହାକୁ ତୀବ୍ର ବିରୋଧ କରିଛି ପୁରୀ ଜିଲା କଂଗ୍ରେସ। ଦିଲ୍ଲୀ ହିଂସା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଦାୟୀ କରିଛି କଂଗ୍ରେସ। ଏହି ଉପଲକ୍ଷେ ଟାଉନ ହଲ ଛକରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଶାହାଙ୍କ

କୁଶପୁତ୍ତଳିକା ମଧ୍ୟ ଦାହ କରିଥିଲେ। ଏଥିସହ ଅମିତ ଶାହାଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ। ବେକାରୀ ସମସ୍ୟା ଓ ଦରଦାମର ଅହେତୁକ ବୃଦ୍ଧି ହେଉଥିବା ବେଳେ କେନ୍ଦ୍ର ନେତୃତ୍ୱଧୀନ ମୋଦି ସରକାର ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ବିନାୟକ ଦାସ ମହାପାତ୍ର ପ୍ରତିକ୍ରିୟା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା, ଗୋପାଳ ଖୁଣ୍ଟିଆ, ରାଜେଶ ମିଶ୍ର, ଯୁବନେତା ବିଶ୍ବନାଥ ଦାଶ, ସ୍ବାଧିନ ପଣ୍ଡା, ଅମରେନ୍ଦ୍ର ପାଇକରାୟ, ଛାତ୍ରନେତା ଆଶୁତୋଷ ମିଶ୍ର, ମହିଳା ନେତ୍ରୀ ବିଦୁଲତା ଆଚାର୍ଯ୍ୟ, ଏସ.କେ.ଅବଦ୍ଦୁଲ ହକ, ଲଲାଟେନ୍ଦୁ ଦାଶ, ରାଜେଶ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

Share