Categories: ଖେଳ

ଶାହାଜାଦ୍‌ଙ୍କ ଶତକ: ସିରିଜ ଡ୍ର’ କଲା ଆଫଗାନିସ୍ତାନ

ବେଲ୍‌ଫାଷ୍ଟ, ୨୨।୫- ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ୨ୟ ଦିନିକିଆ ମ୍ୟାଚ୍‌କୁ ଆଫଗାନିସ୍ତାନ ୧୨୬ ରନରେ ଜିତିନେଇଛି। ଏଥିସହ ଦୁଇ ଦଳ ମଧ୍ୟରେ ଚାଲିଥିବା ୨ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ୧-୧ରେ ସମାପ୍ତ ହୋଇଛି। ପୂର୍ବରୁ ସିରିଜର ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡ ୭୨ ରନରେ ବିଜୟ ଲାଭ କରିଥିଲା।
ଦିନିକିଆରେ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆଫଗାନିସ୍ତାନ ଓପନର୍‌ ତଥା ଉଇକେଟ୍‌କିପର ମହମ୍ମଦ ଶେହଜାଦଙ୍କ ଶତକ ବଳରେ ୭ ଉଇକେଟ୍‌ ହରାଇ ୩୦୫ ରନ କରିଥିଲା। ଶେହଜାଦ୍‌ ୮୮ ବଲରୁ ୧୬ ଚୌକା ବଳରେ ୧୦୧ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରହମତ୍‌ ଶାହ (୬୨), ନଜିବୁଲ୍ଲା ଜର୍ଡାନ (୬୦*) ଓ ହସ୍‌ମତଉଲ୍ଲା ଶାହିଦୀ (୪୭) ଉପଯୋଗୀ ଇନିଂସ ଖେଳିଥିଲେ। ଘରୋଇ ଦଳ ପକ୍ଷରୁ ମାର୍କ ଆଦିର ୩ ଓ ଆଣ୍ଡି ମ୍ୟାକ୍‌ବ୍ରାଇନ ୨ଟି ଉଇକେଟ୍‌ ନେଇଥିଲେ। ଜବାବରେ ଆୟର୍ଲାଣ୍ଡ ୪୧.୨ ଓଭରରେ ୧୭୯ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଓପନର୍‌ ପଲ୍‌ ଷ୍ଟିର୍ଲିଂ ୫୦, ଉଇକେଟ୍‌କିପର ଗେରୀ ଓ୍ବିଲିସନ ୩୪ ରନ କରିଥିଲେ। ବିଜୟୀ ଦଳର ଅଧିନାୟକ ଗୁଲାବଦିନ ନାଇବ ୪୩ ରନରେ ୬ଟି ଉଇକେଟ୍‌ ଅକ୍ତିଆର କରିଥିଲେ।

Share