Categories: ଜାତୀୟ

ଶାହ ଫୈଜଲଙ୍କ ବିରୋଧରେ ପିଏସ୍‌ଏରେ ମାମଲା

ଶ୍ରୀନଗର,୧୬ା୨(ପି.ଟି.): ପୂର୍ବତନ ଆଇଏଏସ୍‌ ଅଫିସରରୁ ରାଜନେତା ହୋଇଥିବା ଶାହ ଫୈଜଲଙ୍କ ବିରୋଧରେ ଜମ୍ମୁ-କଶ୍ମୀର ପ୍ରଶାସନ ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ)ରେ ମାମଲା ରୁଜୁ କରିଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠାରୁ ଫୈଜଲ ଅଟକ ରହିଥିଲେ। ଶୁକ୍ରବାର ତାଙ୍କ ବିରୋଧରେ ପିଏସ୍‌ଏରେ ମାମଲା ରୁଜୁ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବ୍‌ଦୁଲ୍ଲା, ମେହବୁବା ମୁଫ୍‌ତିଙ୍କ ବିରୋଧରେ ପୂର୍ବରୁ ପିଏସ୍‌ଏ ଲାଗୁ ହୋଇଥିଲା। ଆଇନ ଶୃଙ୍ଖଳା କିମ୍ବା ରାଜ୍ୟର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଜଣେ ବ୍ୟକ୍ତିଙ୍କୁ ପିଏସ୍‌ଏରେ ୬ ମାସରୁ ୨ ବର୍ଷ ଅଟକ ରଖାଯାଇପାରିବ। ଗତବର୍ଷ ଅଗଷ୍ଟ ୧୩ ତାରିଖ ରାତିରେ ଫୈଜଲ ଇସ୍ତାନବୁଲ ଯିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚତ୍ଥିବାବେଳେ ତାଙ୍କୁ ଅଟକା ଯାଇ ଶ୍ରୀନଗର ଅଣାଯାଇଥିଲା। ସେବେଠାରୁ ସେ ଅଟକ ରହିଛନ୍ତି। ଫୈଜଲ ଆଇଏଏସ୍‌ ଅଫିସର ପଦବୀରୁ ଇସ୍ତଫା ଦେବା ପରେ ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ ନାମରେ ଏକ ଦଳ ଚଳାଉଥିଲେ।

Share