ଶିକାରକୁ ଯିବା ହେଲା କାଳ: ଗୁଳି ମାଡ଼ରେ ଶିକାରୀ ମୃତ, ବାପାଙ୍କ ସମେତ ୩ ଅଟକ

ଦାରିଙ୍ଗବାଡ଼ି,୨।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଜଙ୍ଗଲକୁ ଶିକାର ପାଇଁ ଯିବା ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ଗୁଳିମାଡ଼ରେ ସହଯୋଗୀମାନଙ୍କ ସହ ଯାଇଥିବା ଶିକାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବି. ଡକେବାଡ଼ି ଗ୍ରାମର କ୍ରିଷ୍ଣା ନାୟକ (୨୮)। କ୍ରିଷ୍ଣାଙ୍କ ଗୁଳିବିଦ୍ଧ ମୃତଦେହକୁ ଦାରିଙ୍ଗବାଡ଼ି ପୋଲିସ ସୋମବାର ଜବତ କରି ବ୍ୟବଚ୍ଛେଦ କରାଇଛି ା ଏହି ଘଟଣାରେ ପୋଲିସ କ୍ରିଷ୍ଣାଙ୍କ ବାପାଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି। ଶିକାରରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏ ନେଇ ନଂ.୧୧/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଆଇଆଇସି କୌଶିକ ମାଝି କହିଛନ୍ତି।
ଶନିବାର ବି. ଡକେବାଡ଼ିର କ୍ରିଷ୍ଣା, ତାଙ୍କ ବାପା ଗୌତମ ଓ ଅନ୍ୟ ୨ ଜଣ ଜଙ୍ଗଲକୁ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଶିକାର କରିବାକୁ ଯାଇଥିଲେ। ସେମାନେ ଜଙ୍ଗଲରେ ରୋଷଇ କରି ଖାଇବା ସହ ସେଠାରେ ରାତି ବିତାଇଥିଲେ। ରବିବାର ବାପ, ପୁଅ ବନ୍ଧୁକ ନେଇ ଶିକାର ଉଦ୍ଦେଶ୍ୟରେ ଅଲଗା ଅଲଗା ଯାଇଥିଲେ। ଅନ୍ୟ ୨ ଜଣ ରୋଷେଇ ସ୍ଥାନରେ ଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଗୁଳି ଶବ୍ଦ ଶୁଣାଯାଇଥିଲା। କୌଣସି ବନ୍ୟଜନ୍ତୁ ଶିକାର ହୋଇଥିବା ଭାବି ପୁଅ ପାଖକୁ ଦୌଡ଼ିଯାଇ ଦେଖିବା ବେଳକୁ ସେ ଗୁଳିବିଦ୍ଧ ହୋଇ ଛଟପଟ ହେଉଥିଲେ ବୋଲି ଗୌତମ ପୋଲିସକୁ କହିଛନ୍ତି। ଅପରାହ୍ନରେ ମୃତଦେହ ଧରି ସମସ୍ତେ ଗାଁକୁ ଫେରିଥିଲେ। ସୋମବାର ସକାଳେ ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଘଟଣାର ତଦନ୍ତ ଚାଲିଛି, ଆବଶ୍ୟକ ପଡ଼ିଲେ ଅପମୃତ୍ୟୁ ମାମଲା ପରିବର୍ତ୍ତନ ହେବ ବୋଲି ଆଇଆଇସି କହିଛନ୍ତି।

Share