ଶିକାର ହେଲେ ବିରଳ ଧଳା ଜିରାଫ

ନାଇରୋବି,୧୧।୩: ସାଧାରଣ ଜିରାଫଙ୍କଠାରୁ ଅଲଗା ଥିବା ଧଳା ଜିରାଫ ଓ ତା’ର ଛୁଆ ପ୍ରଥମ କରି ୨୦୧୭ ମସିହାରେ ଦେଖାଯାଇଥିଲେ। କେନିଆ ବନ୍ୟଜନ୍ତୁ ଅଭୟାରଣ୍ୟରେ ଦେଖାଯାଇଥିବା ଏହି ଦୁର୍ଲଭ ଜିରାଫଙ୍କୁ ଶିକାରୀମାନେ ମାରି ଦେଇଥିବା ଜଣାପଡିଛି। ଉତ୍ତର ପୂର୍ବ କେନିଆର ଗରିସା କାଉଣ୍ଟିର ଏକ ଗାଁରେ ମା’ ଓ ଛୁଆ ଜିରାଫର ମୃତଦେହ ମିଳିବା ପରେ ଏମାନଙ୍କୁ କେହି ମାରି ଦେଇଥିବା ଅନୁମାନ କରାଯାଉଛି। ପ୍ରାୟ ୩ମାସ ପୂର୍ବେ ଶେଷଥର ପାଇଁ ଏମାନଙ୍କୁ ଦେଖାଯାଇଥିବା କୁହାଯାଏ । ଆଫ୍ରିକା ଓ୍ବାଇଲ୍ଡ ଲାଇଫ୍‌ ଫାଉଣ୍ଡେଶନର ସୂଚନା ଅନୁଯାୟୀ, କେନିଆରେ ଗତ ୩୦ ବର୍ଷ ମଧ୍ୟରେ ଜିରାଫ ସଂଖ୍ୟାରେ ପାଖାପାଖି ୪୦ ପ୍ରତିଶତ ହ୍ରାସ ହୋଇଛି। ମାଂସ ଓ ଚମଡା ପାଇଁ ଶିକାରୀ ଏମାନଙ୍କୁ ଶିକାର କରୁଛନ୍ତି। ହେଲେ ଧଳା ଜିରାଫକୁ କିଏ ଓ କାହିଁକି ଶିକାର କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share