ଭଞ୍ଜନଗର,୨୪।୫(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ବ୍ଲକ କ୍ଷେତମୁଣ୍ଡୁଳି ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ ସମ୍ପୃକ୍ତ ଗ୍ରାମର କିଛି ଯୁବକ ଗତ ୧୯ ତାରିଖରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଗ୍ରାମର କେତେଜଣ ବ୍ୟକ୍ତି ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଥିଲେ। ଏହାପରେ ଉଭୟ ପକ୍ଷ ବସି ଆଲୋଚନା ପରେ ଲିଖିତ ଭାବେ ସମସ୍ୟାର ସମାଧାନ ହୋଇଥିଲା। କିନ୍ତୁ ୨୦ ତାରିଖରେ ପ୍ରଧାନ ଶିକ୍ଷକ ପୁଣି ଏନେଇ ଜଗନ୍ନାଥପ୍ରସାଦ ବିଡ଼ିଓଙ୍କ ସମେତ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଅପରପକ୍ଷେ ଗ୍ରାମବାସୀ ମଧ୍ୟ କାର୍ଯ୍ୟରେ ଅବହେଳା ଏବଂ ଗ୍ରାମବାସୀଙ୍କୁ ଧମକ ଚମକ ଦେଇଥିବାରୁ ପ୍ରଧାନ ଶିକ୍ଷକ ଏବଂ ନୋଡ଼ାଲ ଅଫିସରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପ୍ରକାଶଯେ ୧୮ ତାରିଖ ଦିନ ସୁରାଟରୁ ଟ୍ରେନ ଯୋଗେ ଆସିଥିବା କିଛି ଲୋକଙ୍କୁ ଏକ ବସ୍ ଧରି ଜଗନ୍ନାଥପ୍ରସାଦ ବ୍ଲକ ବଡ଼ଗୁଣ୍ଡିରିବାଡ଼ି କ୍ୱାରାଣ୍ଟାଇନ୍ ସେଣ୍ଟର ଯାଉଥିଲା। ବାଟରେ ତିନିଛକିଆ ଠାରେ କ୍ଷେତମୁଣ୍ଡୁଳି ଅଞ୍ଚଳର ୪ଜଣ ଓହ୍ଲାଇ ଗ୍ରାମକୁ ଚାଲିଯାଇଥିଲେ। ଗ୍ରାମବାସୀ ବିରୋଧ କରିବାରୁ ସେମାନଙ୍କୁ ଗ୍ରାମ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସେମାନଙ୍କ ସମ୍ପର୍କୀୟମାନେ ଆସି ଭେଟିବାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ୧୯ ତାରିଖ ଦିନ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଆସିବା ପରେ ଗ୍ରାମବାସୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।