ଶିକ୍ଷକଙ୍କ ଉପରେ ମରଣାନ୍ତକ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ: ମିଳିତମଞ୍ଚ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କ ପ୍ରତି ହୋଇଥିବା ମରଣାନ୍ତକ ଆକ୍ରମଣକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପ୍ରତିବାଦ କରିଛି। ବୁଧବାର ଏକ ଖବରଦାତା ସମ୍ମିଳନୀରେ ମିଳିତ ମଞ୍ଚର ଆବାହକ ଗୋଲକ ନାୟକ, ପବିତ୍ର ମହଲା ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଆକ୍ରମଣ ଘଟଣା ଉପରେ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ର ଲାଠୋର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଏହି ଘଟଣା ଘଟିଛି। ସ୍ଥାନୀୟ ସରପଞ୍ଚ ପ୍ରବୀଣ କୁମାର ଅଗ୍ରଓ୍ବାଲ କ୍ୱାରାଣ୍ଟାଇନ୍‌ ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ନାରାୟଣ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଶିକ୍ଷକମାନେ ନିଷ୍ଠା ତଥା ନିଃସ୍ବାର୍ଥପର ଭାବେ ରାଜ୍ୟ ସରକାରଙ୍କୁ କୋଭିଡ୍‌-୧୯ର ମୁକାବିଲା କରିବାରେ ସହଯୋଗ କରୁଛନ୍ତି। ହେଲେ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ରାଜନେତାମାନେ ଶିକ୍ଷକଙ୍କୁ ଦୁର୍ବ୍ୟବହାର କରିବା ସହ ବିଭିନ୍ନ ସ୍ଥାନରେ ମରଣାନ୍ତକ ଆକ୍ରମଣ କରିଥିବା ନଜରକୁ ଆସୁଛି। ତେଣୁ ଏନେଇ ରାଜ୍ୟ ସରକାର କୌଣସି ଦୃଢ଼ ପଦକ୍ଷେପ ନ ନେଲେ ମିଳିତମଞ୍ଚ ପକ୍ଷରୁ ଏନେଇ ଦୃଢ଼ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Share