Categories: କନ୍ଧମାଳ

ଶିକ୍ଷକ ଅଭାବ, ପାଠ ପଢ଼ାଇଲେ ମଙ୍ଗଳ ଅଧିକାରୀ: ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ପ୍ରତିଶ୍ରୁତି

ଫିରିଙ୍ଗିଆ,୨୧ା୧୨-ସେବାଶ୍ରମରେ ଶିକ୍ଷକ ନିଯୁକ୍ତି ପାଇଁ ଅନେକ ଦିନରୁ ଦାବି ଜଣାଇ ଆସୁଛନ୍ତି ଗ୍ରାମବାସୀ। ତଥାପି ଶିକ୍ଷକ ନିଯୁକ୍ତି କରୁନାହିଁ ପ୍ରଶାସନ। ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତର କାଙ୍ଗାପଡା ସେବାଶ୍ରମରେ ଦେଖିବାକୁ ମିଳିଛି ଏପରି ଘଟଣା। ଅନେକ ଦିନ ଧରି ଶିକ୍ଷକ ଅଭାବ ଜନିତ ସମସ୍ୟା ଲାଗି ରହିଥିବାରୁ ଶତାଧିକ ଗ୍ରାମବାସୀ ବୁଧବାର କନ୍ଧମାଳ ଜିଲାପାଳଙ୍କୁ ଭେଟି ଲିଖିତ ଭାବେ ଜଣାଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଗ୍ରାମ ମଙ୍ଗଳ ଅଧିକାରୀ ଶେଷଦେବ ବେହେରା ଗୁରୁବାର ଉକ୍ତ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ବିଦ୍ୟାଳୟରେ ୨୧୬ ଛାତ୍ରୀଛାତ୍ର ଥିବାବେଳେ ମାତ୍ର ୨ଜଣ ଶିକ୍ଷକ ଅଛନ୍ତି। ଶିକ୍ଷକ ଅଭାବରୁ ପାଠପଢା ଗୁରୁତର ବାଧାପ୍ରାପ୍ତ ହେଉଛି। ଏହାର ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ଶିକ୍ଷକ ନ ଥିବାରୁ ପିଲାଙ୍କୁ ନିଜେ ମଙ୍ଗଳ ଅଧିକାରୀ ପାଠ ପଢାଇଥିଲେ।
ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପଚାରିବାରୁ, ଫିରିଙ୍ଗିଆ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରବୀନ୍ଦ୍ର ବେହେରା କହିଛନ୍ତି ଯେ, ମଙ୍ଗଳ ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ପରେ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ୧୫ ଦିନ ମଧ୍ୟରେ ବିଦ୍ୟାଳୟକୁ ସ୍ଥାୟୀ ଶିକ୍ଷକ ଯୋଗାଇ ଦିଆଯିବା ସହ ମାଟ୍ରନ ମଧ୍ୟ
ନିଯୁକ୍ତି ହେବେ ବୋଲି ସେ ଜଣାଇଛନ୍ତି।