ଶିକ୍ଷକ ଅଭାବ ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରୀଛାତ୍ର

ସାକ୍ଷୀଗୋପାଳ,୨୯।୮(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଦାଶବିଦ୍ୟାଧରପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ପ୍ରତିବାଦରେ ଗୁରୁବାର ବିଦ୍ୟାଳୟରେ ତାଲା ପକାଇ ଦିଆଯାଇଛି । ଶିକ୍ଷୟିତ୍ରୀ ମିନତୀ ମିଶ୍ରଙ୍କ ବଦଳି ଆଦେଶ ବାତିଲ ଓ ଦୁଇବର୍ଷ ହେଲା ବିଦ୍ୟାଳୟରେ ଖାଲି ପଡ଼ିଥିବା ବିଜ୍ଞାନ ଶିକ୍ଷକ ଓ କଳା ଶିକ୍ଷକଙ୍କୁ ନିଯୁକ୍ତି ଦାବିରେ ଅଭିଭାବକ, ଶିକ୍ଷା କମିଟିର ସଭ୍ୟାସଭ୍ୟ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି। ଫଳରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକମାନେ ଦିନ ତମାମ ଗେଟ୍‌ ସମ୍ମୁଖରେ ବସି ରହିଛନ୍ତି । ବାରମ୍ବାର ବିଭିଗୀୟ ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ କରିବାକୁ ଲିଖିତ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିଲା ବୋଲି ଅଭିଭାବକମାନଙ୍କ ସହିତ ସ୍ଥାନୀୟ ସରପଞ୍ଚ ହରିହର ନନ୍ଦ, ଶିକ୍ଷା କମିଟି ସଦସ୍ୟ ରବୀନ୍ଦ୍ର ମୁଦୁଲି ପ୍ରମୁଖ କହିଛନ୍ତି। ଖବରପାଇ ସତ୍ୟବାଦୀ ବ୍ଲକ ସହ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ମିଶ୍ର, ବିଦ୍ୟାଳୟ ସାଧନ କେନ୍ଦ୍ର ସଂଯୋଜକ ରାମଚନ୍ଦ୍ର ଦାଶ ବିଦ୍ୟାଳୟରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୫୬ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ପ୍ରଧାନଶିକ୍ଷକଙ୍କ ସହିତ ୧୦ଟି ଶ୍ରେଣୀ ପାଇଁ ୮ ଜଣ ଶିକ୍ଷକ ରହିଥିବାବେଳେ ଚଳିତ ୨୭ ତାରିଖରେ ସେମାନଙ୍କ ମଧ୍ୟରୁ ଶିକ୍ଷୟିତ୍ରୀ ମିନତୀ ମିଶ୍ରଙ୍କୁ ବଦଳି କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।