ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ସହାୟତା

ବାଲେଶ୍ୱର ଅଫିସ, ୧୦।୫-ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା କବଳରେ। ଏହାଯୋଗୁ ଅନେକ ଜୀବନ ଗଲାଣି ଓ ଅନେକ ଆକ୍ରାନ୍ତ ହେଲେଣି। ଆର୍ଥିକ ଓ ସାମାଜିକ ଜୀବନ ଦୋହଲି ଗଲାଣି। ଏଭଳି ବିପତ୍ତି ସମୟରେ ସରକାର, ପ୍ରଶାସନ, ଡାକ୍ତର, ପୋଲିସ, ନର୍ସ, ଖବରଦାତା, ଆଶା ଓ ଅଙ୍ଗନୱାଡ଼ି କର୍ମୀମାନେ କରୋନାକୁ ହରାଇବା ପାଇଁ ଲାଗି ପଡ଼ିଛନ୍ତି। ଜନସାଧାରଣଙ୍କୁ ସଚେତନ କରାଇ କରୋନାକୁ ହଟାଇବା ପାଇଁ ସମସ୍ତେ ବଦ୍ଧପରିକର। ଶିକ୍ଷକମାନେ ମଧ୍ୟ ପଛରେ ନାହାନ୍ତି। ସେମାନେ କରୋନା ବିରୋଧରେ ଲଢ଼େଇରେ ନିଜକୁ ସାମିଲ କରିଛନ୍ତି। ବାଲେଶ୍ୱର ଜିଲାର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨ଲକ୍ଷ ୧୦୦ ଟଙ୍କା ଡ୍ରାଫ୍ଟ ଆକାରରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଶିକ୍ଷକ ଦୀପକ କୁମାର ଆଚାର୍ଯ୍ୟ, ବାଦଲ ଚନ୍ଦ୍ର ପାତ୍ର, ମନୋରଞ୍ଜନ ଦାସ, ରାଜେନ୍ଦୁ ବିକାଶ ପାତ୍ର, ଜଗବନ୍ଧୁ ପଣ୍ଡା, ଅଞ୍ଜନ ଚାନ୍ଦ, ମୂରଲୀମୋହନ ପ୍ରଧାନ, ଅଜିତ କୁମାର ମହାନ୍ତି, ନରେନ୍ଦ୍ର କୁମାର ଅଗସ୍ତି, ଲକ୍ଷ୍ମୀଧର ମୁଦୁଲୀ, ସନ୍ଦିପ ଖଟୁଆ, ଶିବଶଙ୍କର ମିଶ୍ର, ଉତ୍ତମ ଲେଙ୍କା ଓ ଅତନୁ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।