ଶିକ୍ଷକ ନିଯୁକ୍ତିକୁ ବିରୋଧ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଭବାନୀପାଟଣା,୨୩।୬(ଡି.ଏନ୍‌.ଏ.): ଶିକ୍ଷକ ନିଯୁକ୍ତିକୁ ବିରୋଧ କରି ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ଉନ୍ନୀତ ସ୍କୁଲରେ ଗ୍ରାମବାସୀ ତାଲା ପକାଇ ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପାଡେପଦରରେ ପୂର୍ବରୁ ଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶଶିଦେବ ନାଏକ କାର୍ଯ୍ୟରେ ଅବହେଳା କରୁଥିବାରୁ ତକତ୍ାଳୀନ ଡିଇଓ ପ୍ରଦୀପ ନାଗ ତାଙ୍କୁ ନିଲମ୍ବନ କରିଥିଲେ। ବର୍ତ୍ତମାନ ଡିଇଓ ସଞ୍ଜୀବ ସିଂ ଉକ୍ତ ଶିକ୍ଷକ ଶଶିଦେବ ନାଏକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ସହ ମହୁଲପାଟଣା ଉନ୍ନୀତ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଶିକ୍ଷକ ଶ୍ରୀ ନାଏକ ଶୁକ୍ରବାର ଖରାଛୁଟି ପରେ ସ୍କୁଲ ଖୋଲିବାରୁ ପହଞ୍ଚତ୍ଥିଲେ। କିନ୍ତୁ ସ୍କୁଲ ପରିଚାଳନା କମିଟି ସଭାପତି ସମବାରୁ ମୁଦୁଲିଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ଗ୍ରାମବାସୀ, ଅଭିଭାବକ, ପରିଚାଳନା କମିଟିର ସଭ୍ୟାସଭ୍ୟ ଆସି ଶିକ୍ଷକ ଶ୍ରୀ ନାଏକଙ୍କ ବିଦ୍ୟାଳୟରେ ଯୋଗଦାନକୁ ବିରୋଧ କରିଥିଲେ। ଶିକ୍ଷକ ନାଏକ ବିଦ୍ୟାଳୟରେ ରହିଲେ ସେମାନେ ନିଜ ପିଲାଙ୍କୁ ସ୍କୁଲକୁ ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ନିକଟସ୍ଥ ପାଡେପଦର ସ୍କୁଲରେ ଶିକ୍ଷକ ନାଏକ ଅବହେଳା କରିଥିବାରୁ ତାଙ୍କୁ ମହୁଲପାଟଣାବାସୀ ବିରୋଧ କରୁଥିବା ପ୍ରକାଶ କରିଛନ୍ତି। ଏହାସହ ଗ୍ରାମବାସୀ ଡିଇଓ ସିଂଙ୍କ ନିକଟରେ ମଧ୍ୟ ଫେରାଦ ଦେଇଛନ୍ତି।