ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା

ଖଇରା, ୧୨।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାଦିକପୁର ୟୁଜିୟୁପି ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ବଦଳି ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ବିରୋଧ କରିଛନ୍ତି ା ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଶିକ୍ଷା ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ସମାଧାନର ବାଟ ଫିଟି ନ ଥିବାରୁ ବିବାଦ ଜଟିଳ ରୂପ ଧାରଣ କରିଛି।
ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ମିରିପୁର ଖଇରା ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଥିବା କାରଣରୁ ଗ୍ରାମବାସୀ ମଙ୍ଗଳବାର ଅନୁଷ୍ଠିତ ଜନଶୁଣାଣି ଶିବିରରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତଥା ଜିଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ମିରିପୁର ଖଇରାରେ ଅଚଳାବସ୍ଥା ସୁଧାରିବାକୁ ବ୍ଲକ ଶିକ୍ଷାଧିକାରୀ ଅଧିକ ଶିକ୍ଷକ ଥିବା ସାଦିକପୁର ସ୍କୁଲର ବିଜ୍ଞାନ ଶିକ୍ଷକ ହେମନ୍ତ ଦାସଙ୍କୁ ବୁଧବାର ବଦଳି କରିଥିଲେ ା ଗ୍ରାମବାସୀ ଓ ଅଭିଭାବକଙ୍କ ସହ କୌଣସି ଆଲୋଚନା ନ କରି ଶିକ୍ଷାଧିକାରୀ ଯେଉଁଭଳି ଭାବେ ଶିକ୍ଷକଙ୍କୁ ବଦଳି କଲେ ତାହାର ପ୍ରତିବାଦରେ ଗ୍ରାମବାସୀ ବିଦ୍ୟାଳୟ ବନ୍ଦ କରିଛନ୍ତି ବୋଲି ପରିଚାଳନା କମିଟି ସଭାପତି ବନମାଳୀ ପୃଷ୍ଟି, ଗ୍ରାମବାସୀ ଅତୁଲ୍ୟ ନାୟକ, ସରକାର ମହାନ୍ତି, ମନେରଞ୍ଜନ ବେହେରା, ଡମ୍ବରୁଧର ଦାସ, ଅନ୍ନପୂର୍ଣ୍ଣା ପରିଡା ପ୍ରମୁଖ କହିଛନ୍ତି। ସାଦିକପୁର ବିଦ୍ୟାଳୟରେ ୮୦ଜଣ ପିଲାଙ୍କୁ ୬ଜଣ ଶିକ୍ଷକ ଥିବା ବେଳେ ଜଣେ ଶିକ୍ଷକଙ୍କ ବଦଳିରେ ତାଲା ବନ୍ଦ କରି ନିଜର ପିଲାମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି କରିବା ଅନୁଚିତ ବୋଲି ବ୍ଲକ ଶିକ୍ଷାଧିକାରୀ ଧରଣୀଧର ପାତ୍ର କହିଛନ୍ତି ା

Share