ଶିକ୍ଷକ ସମସ୍ୟା ନେଇ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ : ନିର୍ଭର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଜମନକିରା,୬।୧୧(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଷଣ୍ଢପଥର ସରକାରୀ (ଏସ୍‌ଏସ୍‌ଡି) ହାଇସ୍କୁଲର ଶିକ୍ଷକ ସମସ୍ୟା ନେଇ ବୁଧବାର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଅଭିଭାବକମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି। ତେବେ ବିଭାଗ ଅଧିକାରୀଙ୍କ ନିର୍ଭର ପ୍ରତିଶ୍ରୁତି ପରେ ସାମୟିକ ଭାବେ ଆନ୍ଦୋଳନକୁ ୧୫ ଦିନ ପାଇଁ ଘୁଞ୍ଚାଇ ଦିଆଯାଇ ଧାରଣା ଓ ସ୍କୁଲରେ ତାଲା ପକାଇବା ନିଷ୍ପତ୍ତି ପ୍ରତ୍ୟାହୃତ କରାଯାଇଛି। ଘଟଣାସ୍ଥଳକୁ ଗୋଷ୍ଠୀ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପଣ୍ଡା, ପ୍ରଧାନ ଶିକ୍ଷକ ସନତ କୁମାର ବେହେରା, ଆଇଆଇସି ବାଳକୃଷ୍ଣ କହଁର ପ୍ରମୁଖ ପହଞ୍ଚି ଲିଖିତ ପ୍ରତିଶ୍ରୁତି ଦେବା ସହ ବୁଧବାର ଜଣେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ନେଇ ଜଣେଇଥିଲେ। ଆସନ୍ତା ୧୫ ଦିନ ମଧ୍ୟରେ ଏଠାରୁ ଡେପୁଟେଶନରେ ଯାଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବା ଓ ଅନ୍ୟଜଣେ ନୂତନ ଶିକ୍ଷକଙ୍କ ଯୋଗଦାନ ନେଇ ଜିଲା ଶିକ୍ଷା ଅଧିକାରୀଙ୍କ ସହ ଧାରଣାରତ ଅଭିଭାବକ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପୂର୍ବାହ୍ନ ସାଢ଼େ ୧୦ଟାରୁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିଥିଲା।
ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ସମସ୍ୟା ଲାଗି ଅଭିଭାବକ ତଥା ଗ୍ରାମବାସୀ ବହୁବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ସମସ୍ୟା ସମାଧାନ କରାଯାଇ ପାରି ନ ଥିଲା। ଏନେଇ ଗତ ଅକ୍ଟୋବର ୨୮ ତାରିଖ ଦିନ ସ୍କୁଲ ପରିଚାଳନା କମିଟି ବୈଠକରେ ଶିକ୍ଷକ ସମସ୍ୟା ସମାଧାନ ନେଇ ଗୁରୁତ୍ୱାରୋପ କରାଯାଇଥିଲା। ଏକ ମାସ ମଧ୍ୟରେ ଶିକ୍ଷକ ପୂରଣ କରା ନ ଗଲେ ଆନ୍ଦୋଳନ କରାଯିବା ନେଇ ବିଭାଗକୁ ଲିଖିତ ଜଣାଇଥିଲେ।

Share