ଶିକ୍ଷାଗତ ଯୋଗ୍ୟତାର ୩ ପ୍ରକାର ତଥ୍ୟ ରଖିଛନ୍ତି ମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ପ୍ରତିନିଧି ଆଇନ ୧୯୫୧ ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନ ଥାଏ। ମାତ୍ର ପ୍ରାର୍ଥୀମାନେ ନିଜକୁ ବଡ଼ ଦେଖାଇବା ନଚେତ୍‌ ନିଜର ବାସ୍ତବ ଶିକ୍ଷାଗତ ଯୋଗ୍ୟତାକୁ ଲୁଚାଇବା ପାଇଁ ଅନେକ ସମୟରେ ଭୁଲ ତଥ୍ୟ ଦେଉଛନ୍ତି। ଏହିକ୍ରମରେ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ବାରମ୍ବାର ଭୁଲ ଓ ଭିନ୍ନ ଭିନ୍ନ ତଥ୍ୟ ଦେଇଛନ୍ତି। ଯାହାର ସମ୍ପୂର୍ଣ୍ଣ ତଥ୍ୟ ମିଳିଥିବା କଂଗ୍ରେସ ଅଭିଯୋଗ କରିବା ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳୀୟ ନେତା ନିଶିକାନ୍ତ ମିଶ୍ର କହିଛନ୍ତି ଯେ, କ୍ୟାବିନେଟ୍‌ ମନ୍ତ୍ରୀ ବେହେରା ୨୦୦୪ରୁ ୨୦୧୯ ମସିହା ମଧ୍ୟରେ ଦାଖଲ କରିଥିବା ୪ଟି ସତ୍ୟପାଠରେ ୩ ପ୍ରକାର ତଥ୍ୟ ଦେଖାଇଛନ୍ତି। ୨୦୦୪ରେ ସେ ଦାଖଲ କରିଥିବା ସତ୍ୟପାଠରେ ୧୯୭୨ରେ ମାଟ୍ରିକ ପରୀକ୍ଷା ଦେଇଥିବା ଦର୍ଶାଇଥିଲେ। ୨୦୦୯ରେ ବୀରମହାରାଜପୁର ସଂରକ୍ଷିତ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେତେବେଳେ ସେ ୧୯୭୩ରେ ମାଟ୍ରିକ ପାସ୍‌ କରିଥିଲେ ବୋଲି ସତ୍ୟପାଠରେ ଦର୍ଶାଇଥିଲେ। ସେହିପରି ୨୦୧୪ରେ ସମାନ ତଥ୍ୟ ରଖିଥିଲେ। ମାତ୍ର ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ନିଜ ସତ୍ୟପାଠରେ ୧୯୭୩ରେ ଅଷ୍ଟମ ପାସ୍‌ କରିଥିବା ଦର୍ଶାଇଥିଲେ। ୪ଟି ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ନେଇ ୩ ପ୍ରକାର ତଥ୍ୟ ଦେଖାଇବା ଦଣ୍ଡନୀୟ ଅପରାଧ ବୋଲି ନିଶିକାନ୍ତ ଅଭିଯୋଗ କରିଛନ୍ତି।
ନିର୍ବାଚନରେ ମନ୍ତ୍ରୀ ନିଜ ଶିକ୍ଷାଗତ ଯୋଗ୍ୟତା ନେଇ ମିଥ୍ୟ ସତ୍ୟପାଠ ଦାଖଲ କରିଥିବା ଭଗବାନ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ପିଟିଶନ ଦାଖଲ କରିଥିଲେ। ଏନେଇ ବୀରମହାରାଜପୁର ଥାନାରେ ମାମଲା ରୁଜୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ସତ୍ତ୍ୱେ କାହିଁକି ମାମଲା ରୁଜୁ କରାଯାଇ ନାହିଁ ବୋଲି ନିଶିକାନ୍ତ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣାକୁ ମାସେ ପୂରିବା ପରେ ଘଟଣାର ଅନୁଧ୍ୟାନ କରାଯାଉଥିବା ସୁବର୍ଣ୍ଣପୁର ଏସ୍‌ପି କହୁଛନ୍ତି। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କାହାର ଅନୁମତି ଆବଶ୍ୟକ ପଡୁଛି ଏ କଥା ସ୍ପଷ୍ଟ କରିବା ପାଇଁ କଂଗ୍ରେସ ଦାବି କରିଛି।

Share