Categories: ମେଟ୍ରୋ

ଶିକ୍ଷାନୁଷ୍ଠାନ ପାଖରେ ତମାଖୁ ବିକ୍ରି ବନ୍ଦ କର

ଭୁବନେଶ୍ୱର, ୭ା୧୧ (ବ୍ୟୁରୋ) ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଗୁଟ୍‌ଖା ଓ ତମାଖୁ ବିକ୍ରି ନ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ବ୍ୟବସାୟୀମାନେ ବେଆଇନ ଭାବେ ଏହି ବେପାର ଜାରି ରଖିଛନ୍ତି। ଏ ସଂକ୍ରାନ୍ତରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି) ରାଜ୍ୟ ସରକାରଙ୍କ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ପୋଲିସ କମିଶନରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ସରକାରଙ୍କ ଗାଇଡଲାଇନ କେତେଦୂର ପାଳନ କରାଯାଇଛି ତାହା ଉପରେ ମତାମତ ଉପସ୍ଥାପନ କରିବା ପାଇଁ ଓଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ତା’ ପୂର୍ବରୁ ଏହି ସବୁ ରିପୋର୍ଟ କମିଶନଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ କୁହାଯାଇଛି। ସୂଚନା ମୁତାବକ, ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଗୁଟ୍‌ଖା, ତମାଖୁ ତଥା ହୁକ୍କା ଆଦି ନିଶାଦ୍ରବ୍ୟ ବିକ୍ରି ତୁରନ୍ତ ବନ୍ଦ କରିବା ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ବୁଧବାର ଓଡ଼ିିଶା ଅଭିଭାବକ ମହାସଂଘ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗୁଟ୍‌ଖା ସେବନ ସ୍ବାସ୍ଥ୍ୟ ପ୍ରତି ବିପଦ ହୋଇଥିବାରୁ ସ୍କୁଲ, କଲେଜ, ମେଡିକାଲ ଓ ଅନ୍ୟ କେତେକ ସମ୍ବେଦନଶୀଳ ସ୍ଥାନରେ ଏହାର ବିକ୍ରି ଉପରେ କଟକଣା ରହିଛି। ମାତ୍ର ଏହା ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଯାଇପାରିନାହିଁ। ଏ ନେଇ ମାନବାଧିକାର କର୍ମୀ ବାସୁଦେବ ଭଟ୍ଟ ଓଏଚ୍‌ଆର୍‌ସିଙ୍କ ଦ୍ବାରସ୍ଥ ହୋଇଥିଲେ। କମିଶନ ଏହି ମାମଲାର ବିଚାର କରି ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

Share