Categories: ଭଦ୍ରକ

ଶିକ୍ଷାନୁଷ୍ଠାନ ମିଶ୍ରଣକୁ ବିରୋଧ

ଆରଡ଼ି, ୨୭।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମଠଡିହ କ୍ଲଷ୍ଟର ଅଧୀନ ଚମ୍ପାସାହି ପ୍ରାଥମିକ ବିଦ୍ୟାଳୟ ଅନ୍ୟତ୍ର ମିଶ୍ରଣକୁ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଶୁକ୍ରବାର ଗ୍ରାମବାସୀ ବିଦ୍ୟାଳୟକୁ ଯାଇ ତାଲା ପକାଇ ଦେଇଛନ୍ତି। ନିୟମାନୁସାରେ ଏହି ବିଦ୍ୟାଳୟରେ ଆବଶ୍ୟକ ଛାତ୍ରୀଛାତ୍ର ଥିବା ସତ୍ତ୍ୱେ ଏହାକୁ ଉପେକ୍ଷା କରି ୧ କି.ମି. ଦୂରରେ ଥିବା ପାରଡିଆ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଉଥିବା ଅଭିଯୋଗ ହୋଇଛି। ଗଁା ଲୋକେ ବିଦ୍ୟାଳୟରେ ତାଲା ପକାଇବା ସହ କାର୍ଯ୍ୟରତ ୨ ଶିକ୍ଷକଙ୍କୁ ପାରଡିଆ ପ୍ରାଥମିକ ବିଦ୍ୟାଳୟକୁ ଛାଡ଼ି ନ ଥିଲେ। ପ୍ରଶାସନ ଓ ଶିକ୍ଷା ବିଭାଗ ଏ ନେଇ ପୁନର୍ବିଚାର ନ କଲେ ଆଗାମୀ ଦିନରେ ସମୂହ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ଅନୁସାରେ, ଗତବର୍ଷ ମଧ୍ୟ ବିଦ୍ୟାଳୟରେ ଆଶାନୁରୂପକ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ନ ଥିବା ଦର୍ଶାଇ ଏହି ପ୍ରକ୍ରିୟା ଜାରି ରଖିଥିଲା ଶିକ୍ଷା ବିଭାଗ। ସେତେବେଳେ ଗଁା ଲୋକେ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ସ୍ଥାନୀୟ ବିଧାୟକଙ୍କୁ ଭେଟିବା ପରେ ସମସ୍ୟାର ସମାଧାନ ହୋଇଥିଲା। ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ ନିମନ୍ତେ ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଦ୍ୟାଳୟର ସମସ୍ତ ରେକର୍ଡପତ୍ର କାର୍ଯ୍ୟ ପାରଡିଆ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ବେଳେ ଶିକ୍ଷାଦାନ ଓ ମଧ୍ୟାହ୍ନଭୋଜନ ପୂର୍ବପରି ଚମ୍ପାସାହି ପ୍ରାଥମିକ ବିଦ୍ୟାଳୟରେ ଚାଲିଥିଲା। ଏବେ ପୁଣି ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦେଶ କ୍ରମେ ଚମ୍ପାସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଛାତ୍ରୀଛାତ୍ରଙ୍କୁ ସାଥୀରେ ଧରି ପାରଡିଆ ସ୍କୁଲକୁ ଯାଉଥିବା ଖବର ପାଇ ଅଭିଭାବକ ଓ ଗ୍ରାମବାସୀ ପହଞ୍ଚି ବିରୋଧ କରି ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ପ୍ରଣୟ ନାୟକଙ୍କୁ ପଚାରିବାରୁ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚମ୍ପାସାହି ବିଦ୍ୟାଳୟକୁ ପାରଡିଆ ପ୍ରାଥମିକ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଛି। ତାହାସହ ଛାତ୍ରୀଛାତ୍ରଙ୍କ ସୁରକ୍ଷିତ ଯାତାୟାତ ସକାଶେ ବାର୍ଷିକ ଅନୁଦାନ ଅଭିଭାବକମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।