ଶିକ୍ଷାରେ ବିପର୍ଯ୍ୟୟ ଆଣିବ କରୋନା

ନୂଆଦିଲ୍ଲୀ,୧୨ା୫ (ପି.ଟି.): କୋଭିଡ୍‌-୧୯ ମହାମାରୀ ସାରା ବିଶ୍ୱର ଶିକ୍ଷାକୁ ଗୁରୁତର ପ୍ରଭାବିତ କରିବାକୁ ଯାଉଛି। ଯଦି ତୁରନ୍ତ ମହତ୍ୱାକାଂକ୍ଷୀ ନୀତି କାର୍ଯ୍ୟକାରୀ କରା ନଯାଏ ତେବେ ପିଲାମାନଙ୍କର ଶିକ୍ଷା ବିପର୍ଯ୍ୟୟ ଆଡକୁ ଠେଲିହୋଇଯିବ ବୋଲି ବିଶ୍ୱ ବ୍ୟାଙ୍କ ବିଶେଷଜ୍ଞମାନଙ୍କ ଏକ ଟିମ୍‌ ମତ ଦେଇଛି। ସେମାନଙ୍କ କହିବା ଅନୁଯାୟୀ ମହାମାରୀ ପୂର୍ବରୁ ବିଶ୍ୱରେ ଶିକ୍ଷା ସଙ୍କଟ ଦେଖାଦେଇଥିଲା। ସ୍ଥାୟୀ ବିକାଶ ଲକ୍ଷ୍ୟ-୪ରୁ ଅଧିକାଂଶ ରାଷ୍ଟ୍ର ବିଚ୍ୟୁତ ହୋଇସାରିଥିଲେ। ସବୁ ଝିଅପୁଅଙ୍କୁ ସମ୍ପୂର୍ଣ୍ଣ ମାଗଣା, ଉପଯୁକ୍ତ ଗୁଣାତ୍ମକ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଯୋଗାଇଦେବା ସମେତ ଅନ୍ୟ କେତେକ ଲକ୍ଷ୍ୟ ଏହି ପର୍ଯ୍ୟାୟରେ ରଖାଯାଇଥିଲା। ଶିକ୍ଷା ଉପରେ ମହାମାରୀର ପ୍ରଭାବ ହ୍ରାସ କରିବା ପାଇଁ ବିଶ୍ୱବ୍ୟାଙ୍କ ଜାତିସଂଘର ବିଭିନ୍ନ ସଂସ୍ଥା ସହ ଏକାଠି ମିଶି ଗାଇଡ୍‌ଲାଇନ ପ୍ରସ୍ତୁତ କରୁଛି।
ମହାମାରୀ ପୂର୍ବରୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଶିକ୍ଷା ବୟସର ୨୫ କୋଟି ୮୦ ଲକ୍ଷ ପିଲା ପାଠପଢ଼ାଠାରୁ ଦୂରେଇ ରହିଥିଲେ ତଥା କ୍ୱଚିତ୍‌ ଶିକ୍ଷା ଲାଭ କରିଥିଲେ। କୋଭିଡ୍‌-୧୯ ଯୋଗୁ ଦୀର୍ଘଦିନ ହେଲା ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ମହାମାରୀ ଯୋଗୁ ବିଶ୍ୱ ମାନ୍ଦାବସ୍ଥା ଗୁରୁତର ହେବାକୁ ଥିବାରୁ ଏହା ମଧ୍ୟ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବ।
ଏହି ସମସ୍ୟା ହ୍ରାସ କରିବା ସହ ସଙ୍କଟକୁ ସୁଯୋଗରେ ପରିବର୍ତ୍ତନ କରିବାକୁ ବିଶ୍ୱବ୍ୟାଙ୍କ ଟିମ୍‌ କେତେକ ପରାମର୍ଶ ଦେଇଛନ୍ତି। ସ୍କୁଲ୍‌ ବନ୍ଦ ରହିଥିବାରୁ ପିଲାଙ୍କ ପାଠପଢ଼ା କ୍ଷତି ଭରଣା ଲାଗି ଯୋଜନା ପ୍ରସ୍ତୁତ କରିବାକୁ ହେବ। ଅନ୍‌ଲାଇନ ଶିକ୍ଷା କିମ୍ବା ଭିଡିଓ କନ୍‌ଫରେନ୍ସ ଜରିଆରେ ପିଲାମାନଙ୍କ ଏହି କ୍ଷତିକୁ ଭରଣା କରଯାଇପାରିବ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଶିକ୍ଷା ସହ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ହେବ। ବିଭିନ୍ନ ଦେଶରେ ସ୍କୁଲ ଖୋଲିବା ପାଇଁ ଯୋଜନା ହେଉଛି। ତେବେ ସ୍କୁଲ ଖୋଲିଲେ ମଧ୍ୟ କେତେକ ପିଲା ପଢ଼ିବାକୁ ନ ଆସିପାରନ୍ତି। ସେମାନଙ୍କୁ ଫେରାଇ ଆଣିବା ଲାଗି ପଦକ୍ଷେପ ନେବାକୁ ହେବ। ବିଦ୍ୟାଳୟର ଶିକ୍ଷା ପରିବେଶକୁ ସୁସ୍ଥ ରଖିବାକୁ ହେବ। ପିଲାମାନେ ସ୍କୁଲ୍‌କୁ ଫେରି ବକେୟା ରହିଯାଇଥିବା ପାଠକୁ ଭରଣା କରିବା ପାଇଁ ନୂଆ ଟେକ୍‌ନୋଲୋଜିର ବ୍ୟବହାର କରିବାକୁ ହେବ ବୋଲି ‘ଦି କୋଭିଡ୍‌-୧୯ ପାଣ୍ଡେମିକ୍‌: ଶକ୍‌ସ ଟୁ ଏଜୁକେଶନ ଆଣ୍ଡ ପଲିସି ରେସ୍‌ପନ୍ସ’ ନାମରେ ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

Share