ଶିକ୍ଷାର ଉନ୍ନତି ପାଇଁ ଭାରତକୁ ସହଯୋଗ କରିବ ଚାଇନା

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ଚାଇନାର କନସୁଲ୍‌ ଜେନେରାଲ୍‌ ଝା ଲିଉ ଓ ତାଙ୍କର ପତ୍ନୀ ଝେଙ୍ଗ ହୁଇକୁନ୍‌ ସୋମବାର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ପରିଦର୍ଶନ କରିଛନ୍ତି। ସାଇ ଇଣ୍ଟରନ୍ୟାଶନାଲ୍‌ର ଫାଉଣ୍ଡର ଡ. ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଝା ଲିଉ କହିଥିଲେ, ଚାଇନାର ପ୍ରମୁଖ ବିଶ୍ୱବିଦ୍ୟାଳୟ ଏବଂ ଖ୍ୟାତନାମା କମ୍ପାନୀଗୁଡ଼ିକ ସହ ଇଣ୍ଟର୍ନଶିିପ୍‌ କାର୍ଯ୍ୟକ୍ରମ ତ୍ୱରାନ୍ବିତ କରାଯିବ। ଏଥିସହ ସମର କ୍ୟାମ୍ପ ମାଧ୍ୟମରେ ଦୁଇ ଦେଶର ଛାତ୍ରୀଛାତ୍ରମାନେ ପରସ୍ପର ଯୋଡ଼ି ହୋଇ ଖେଳ, ଭାଷା ଓ ସଂସ୍କୃତି ବିଷୟରେ ଜାଣିବାର ସୁଯୋଗ ପାଇବେ। ଝା ଲିଉ ଆହୁରି କହିଥିଲେ, ଓଡ଼ିଶା ବୌଦ୍ଧ ଧର୍ମର ଜନ୍ମସ୍ଥାନ। ଏହା ଚାଇନା ପାଇଁ ଭାରତର ଏକ ବଡ଼ ଉପହାର ସଦୃଶ। ତେଣୁ ଶିକ୍ଷାର ଉନ୍ନତି ପାଇଁ ଭାରତକୁ ସହଯୋଗର ହାତ ବଢ଼ାଇବ ଚାଇନା। ଉଭୟ ଦେଶର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭାବବିନିମୟ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ। ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଭାରତର ପ୍ରଥମ ସ୍କୁଲ ଭାବେ ଚାଇନା ସହ ଯୋଡ଼ିହୋଇଛି। ଏହି ଅବସରରେ ସ୍କୁଲର ଭାଇସ୍‌ ଚେୟାରପର୍ସନ୍‌ ଡ. ଶିଳ୍ପୀ ସାହୁ, ପ୍ରିନ୍ସିପାଲ ନୀଳକଣ୍ଠ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Share