ଡ. ଷ୍ଟାଲିନ ମିଶ୍ର
ଖାଦ୍ୟ ବସ୍ତ୍ର ବାସଗୃହ ପରେ ଶିକ୍ଷା ହେଇଛି ମନୁଷ୍ୟର ଚତୁର୍ଥ ମୌଳିକ ଆବଶ୍ୟକତା। ଅଶିକ୍ଷା ସଭ୍ୟତା ବିନାଶର ମୂଳ କାରଣ କହିଲେ ଅତ୍ୟୁକ୍ତି ହେବନାହିଁ। ଯେକୌଣସି ସଭ୍ୟତାର ସଫଳତା, ବିକାଶଶୀଳତା, ସମୃଦ୍ଧତା, ପରିପକ୍ୱତା, ଦୂରଦର୍ଶିତା, ନୈତିକତା ତଥା ପ୍ରାସଙ୍ଗିକତା କେବଳ ସେହି ସଭ୍ୟତାର ଶିକ୍ଷିତ ସମାଜ ଉପରେ ନିର୍ଭରଶୀଳ। ସେଥିପାଇଁ ଶିକ୍ଷା ଓ ଶିକ୍ଷିତ ସମାଜର ପ୍ରାଧାନ୍ୟ ଯୁଗେଯୁଗେ ସର୍ବାଗ୍ରେ ରହିଆସିଛି। ଶିକ୍ଷାର ଉଦ୍ଦେଶ୍ୟ କେବଳ ଜଣେ ବ୍ୟକ୍ତିବିଶେଷକୁ ରୋଜଗାରକ୍ଷମ କରିବାକୁ ନ ଥିଲା ବରଂ ଏହା ମନୁଷ୍ୟର ମାନସିକତାକୁ ଆବଶ୍ୟକତା ପରିମାଣରେ ବିକଶିତ କରି ଏକ ଆଦର୍ଶ ବ୍ୟକ୍ତିତ୍ୱର ଗଠନ କରିବା, ଯାହା ପରେ ଏକ ଆଦର୍ଶ ସମାଜ ଓ ଦେଶ ଗଠନରେ ସହାୟକ ହୋଇପାରିବ, ବ୍ୟକ୍ତିତ୍ୱ ଓ ନୈତିକତା ବିକାଶର ଆଧାରଶିଳା ହୋଇପାରିବ।
ଆଜି କିନ୍ତୁ ବାସ୍ତବତା, ଏଥିରୁ ବହୁଦୂରରେ ଏବଂ ଭୟାନକ। ଆମ ଦେଶରେ ବର୍ତ୍ତମାନ ଶିକ୍ଷାର ଅବସ୍ଥା ଏତେ ଦୁଃଖଦାୟକ ଯେ ପିଲାମାନଙ୍କୁ ଅର୍ଥପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବାକୁ ବିକଳ୍ପ ଉପାୟ ଖୋଜିବାକୁ ପଡୁଛି। ଶିକ୍ଷାର ଆନୁଷ୍ଠାନିକ ବ୍ୟବସ୍ଥା ପ୍ରାୟ ମୂଲ୍ୟହୀନ ପ୍ରମାଣିତ ହୋଇଛି। ଶିକ୍ଷାର ଗୁଣାତ୍ମକ ମାନ ଲଗାତର ହ୍ରାସ ପାଇଚାଲିଛି। ଏହାର କାରଣଗୁଡିକ ଅନେକ। ଯେପରି କି ଆଧୁନିକ ଭାରତରେ ଶିକ୍ଷାକ୍ଷେତ୍ର ପ୍ରତି ସରକାରଙ୍କ ଉଦାସୀନତା, ଶିକ୍ଷାସଂସ୍ଥାଗୁଡିକର ଘରୋଇକରଣ ତଥା ମାତ୍ରାଧିକ ବ୍ୟବସାୟୀକରଣ, ଅଣକୁଶଳୀ ଅର୍ଦ୍ଧକୁଶଳୀ ଶିକ୍ଷକ ତଥା ଅବିଭାବକମାନଙ୍କର ଅଜ୍ଞାନତା ଏଥିପାଇଁ ବହୁମାତ୍ରାରେ ଦାୟୀ। ଆସନ୍ତୁ ବିସ୍ତୃତରେ ଏହା ଉପରେ ଆଲୋଚନା କରିବା ଓ ସମସ୍ୟା ନିରାକରଣ ପାଇଁ ପଥ ଅନ୍ବେଷଣ କରିବା।
ସାଧାରଣତଃ ଆମ ଦେଶରେ ସରକାର ଶିକ୍ଷାକ୍ଷେତ୍ର ପ୍ରତି ଆବଶ୍ୟକ ବ୍ୟୟକୁ ଭବିଷ୍ୟତ ପାଇଁ ବିନିଯୋଗ ନୁହେଁ ବରଂ ବାଧ୍ୟବାଧକତା ରୂପେ ନେଇଥାନ୍ତି। ସେଥିପାଇଁ ଯେକୌଣସି ବିଷମ ପରିସ୍ଥିତି ଉପୁଜିଲେ ପ୍ରଥମେ ଶିକ୍ଷାକ୍ଷେତ୍ରର ବ୍ୟୟଅଟକଳକୁ କାଟଛାଣ୍ଟ କରିବା ଭାରତରେ ଏକ ସାଧାରଣ ଘଟଣା। ଶିକ୍ଷା ଭିତ୍ତିଭୂମିର ବିକାଶ, ଅନୁସନ୍ଧାନ, ବିଶ୍ଳେଷଣ ଓ ପରୀକ୍ଷଣ, ଶିକ୍ଷାପ୍ରଣାଳୀର ଉନ୍ନତୀକରଣ, ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ତଥା ସେମାନଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆମ ଦେଶରେ ସର୍ବନିମ ପ୍ରାଥମିକତା ଭାବେ ନିଆଯିବା ଦୁର୍ଭାଗ୍ୟଜନକ ହେଲେ ବି ଏହା ହିଁ ବାସ୍ତବଚିତ୍ର। କେବଳ ଭୋଟ ବ୍ୟାଙ୍କ ପାଇଁ ମାଳମାଳ ବ୍ୟୟବହୁଳ ଯୋଜନା ହେଉଥିବା ବେଳେ ଶିକ୍ଷାକ୍ଷେତ୍ର ପ୍ରତି ସରକାରୀ ଉଦାସୀନତା ଶିକ୍ଷାର ଗୁଣାତ୍ମକ ମାନ ହ୍ରାସର ପ୍ରମୁଖ କାରଣଗୁଡ଼ିକରୁ ଗୋଟିଏ। ଏବେ ପିଲାମାନଙ୍କୁ ଦିଆଯାଉଥିବା ଶିକ୍ଷା ସେମାନଙ୍କ ବାସ୍ତବ ଜୀବନରେ କେବେ ବି ସହାୟକ ହେଉନାହିଁ। ଏହିପରି, ଶିକ୍ଷାର ଆନୁଷ୍ଠାନିକ ବ୍ୟବସ୍ଥା ଜୀବନ ବିଷୟରେ ସମ୍ପୂର୍ଣ୍ଣରୂପେ କୌଣସି ତାଲିମ ନ ଦେଇ ଆମକୁ ସେହି ଜିନିଷଗୁଡ଼ିକ ବିଷୟରେ ଅନେକ ଜ୍ଞାନ ଦେଇଥାଏ; ଯାହା ଆମକୁ ଜୀବନରେ କେବେ ବି ସାମ୍ନା କରିବାକୁ ପଡି ନ ଥାଏ। ଆଜିକାଲି ଲୋକଙ୍କ ଜୀବନଚର୍ଯ୍ୟାର ପରିବର୍ତ୍ତନକୁ ଲକ୍ଷ୍ୟକଲେ ପାରମ୍ପରିକ ଶିକ୍ଷାଦାନ ପ୍ରଣାଳୀର ଆବଶ୍ୟକତା କମ୍ ମନେହୁଏ। ଯେତେବେଳେ ପିଲାମାନେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ବିଷୟରେ ଅଜ୍ଞ, ଯେଉଁଥିରେ ସେମାନଙ୍କୁ ବର୍ତ୍ତମାନ ଓ ଭବିଷ୍ୟତରେ ରହିବାକୁ ପଡିବ ସେତେବେଳେ ସେମାନଙ୍କୁ ଇତିହାସ ବିଷୟରେ କଥାବାର୍ତ୍ତା କରିବା ଅପ୍ରାସଙ୍ଗିକ ନୁହେ ଁକି?
ଘରୋଇ ଶିକ୍ଷାସଂସ୍ଥାନଗୁଡ଼ିକ ଶିକ୍ଷାଦାନ ଅପେକ୍ଷା ଶିକ୍ଷାର ବ୍ୟବସାୟୀକରଣରେ ଅଧିକ ଲିପ୍ତ। ସେମାନଙ୍କୁ ମଧ୍ୟ ଦୋଷଦେବା ଠିକ୍ ହେବ ନାହିଁ କାରଣ ଶିକ୍ଷାନୁଷ୍ଠାନ ହେଲେ ମଧ୍ୟ ସେମାନେ ଏକ-ଏକ ବ୍ୟବସାୟ ପ୍ରତିଷ୍ଠାନ। ଭିତ୍ତିଭୂମି ବିକାଶ, ପରିଚାଳନାଗତ ବ୍ୟୟ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ସେମାନେ ଯେଉଁ ବିନିଯୋଗ କରିଛନ୍ତି ସେଥିରୁ ଲାଭ ଉପାର୍ଜନ କରିବା ସେମାନଙ୍କ ପ୍ରଥମ ଉଦ୍ଦେଶ୍ୟ ହେବା ସାଧାରଣ କଥା। ସେଥିପାଇଁ ସେମାନେ ଗୁଣାତ୍ମକ ଶିକ୍ଷାଦାନକୁ ଅଧିକ ଗୁରୁତ୍ୱ ନ ଦେଇ ଅର୍ଥ ଉପାର୍ଜନ ପାଇଁ ସର୍ବଦା ଚେଷ୍ଟା କରିବା ବି ସ୍ବାଭାବିକ। ମୋ ମତରେ ଶିକ୍ଷା ଓ ସ୍ବାସ୍ଥ୍ୟକ୍ଷେତ୍ରକୁ ସମ୍ପୂର୍ଣ୍ଣ ସରକାରୀ ନିୟନ୍ତ୍ରଣାଧୀନ ତଥା ନିଃଶୁଳ୍କ କରିବା ଉଚିତ। ଶିକ୍ଷାର ଗୁଣାତ୍ମକ ଅବନତିର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଶିକ୍ଷକମାନଙ୍କର ଅପାରଗତା। କୋମଳ ବୟସରେ ଯେତେବେଳେ ପିଲା ବିଦ୍ୟାଳୟକୁ ଯିବା ଆରମ୍ଭ କରେ, ସେତେବେଳେ ତା’ପାଇଁ ଶିକ୍ଷକ ହେଉଛନ୍ତି ପ୍ରଥମ ବ୍ୟକ୍ତି; ଯାହାକୁ ସେ ଅନୁକରଣ ଓ ଅନୁଶୀଳନ କରେ।
କିନ୍ତୁ ଆଜିକାଲିର ଶିକ୍ଷକମାନେ ଜ୍ଞାନ ପ୍ରଦାନକରିବା ଅପେକ୍ଷା ରୋଜଗାରକୁ ଅଗ୍ରାଧିକାର ଦେଉଥିବାରୁ ଶିକ୍ଷାର ମାନ ହ୍ରାସପାଇବା ନିଶ୍ଚିତ। ସରକାରଙ୍କର ଶିକ୍ଷକମାରଣ ନୀତି ମଧ୍ୟ ଏଥିପାଇଁ ବହୁମାତ୍ରାରେ ଦାୟୀ। ଅନ୍ୟ କୌଣସି ବିଭାଗର କର୍ମଚାରୀଙ୍କ ତୁଳନାରେ ଜଣେ ଶିକ୍ଷକର ବେତନ, ବେତନବୃଦ୍ଧି, ପଦୋନ୍ନତି ତଥା ଅନ୍ୟାନ୍ୟ ସରକାରୀ ପ୍ରୋତ୍ସାହନ ସର୍ବନିମ୍ନ l ଜଣେ ସହକାରୀ ଶିକ୍ଷକ ତା’ର ୩୦ବର୍ଷର ଚାକିରିକାଳ ମଧ୍ୟରେ ଅଧିକାଂଶ କ୍ଷେତ୍ରରେ ବରିଷ୍ଠ ଶିକ୍ଷକ ହୋଇ ନ ପାରି ସେବାନିବୃତ ହୋଇଯାଏ କିନ୍ତୁ ଅନ୍ୟ ବିଭାଗରେ ସାଧାରଣ କିରାଣିଟିଏ ମଧ୍ୟ ସମୟାନୁକ୍ରମିକ ପଦୋନ୍ନତି ପାଇ ପାଇ ସେବାନିବୃତ ବେଳକୁ ପ୍ରଥମ ଶ୍ରେଣୀ ଅଧିକାରୀ ହୋଇସାରିଥାଏ l
ଏପରି ସ୍ଥିତିରେ ଜଣେ ଭଲ ଛାତ୍ର ଶିକ୍ଷକତା ବୃତ୍ତିକୁ ବାଛିବାକୁ କୁଣ୍ଠିତ ହେବା ସ୍ବାଭାବିକ l ଫଳସ୍ବରୂପ ଆମ ଦେଶର ଅଧିକାଂଶ ଶ୍ରେଣୀଗୃହ ପ୍ରତିଦିନ ଜଣେ ଶିକ୍ଷକଙ୍କୁ ମଧ୍ୟ ଦେଖନ୍ତି ନାହିଁ l କେତେକ କ୍ଷେତ୍ରରେ ଏହା ଭୁଲ୍ ହୋଇପାରେ, କିନ୍ତୁଆମ ଶିକ୍ଷା ବ୍ୟବସ୍ଥାରେ ଉପଯୁକ୍ତ କୁଶଳୀ ଶିକ୍ଷକଙ୍କ ଅଭାବ ସବୁବେଳେ ପରିଲକ୍ଷିତ ହୋଇଥାଏ
ଅନ୍ୟ ଏକ ପ୍ରମୁଖ କାରଣ ହେଲା ଅଭିଭାବକମାନଙ୍କର ଅନଭିଜ୍ଞତା ଓ ଉଚିତ ଦିଶା ନିରୂପଣ କରିବାର ଅକ୍ଷମତା। ସମସ୍ତ ପିଲା ଯେ ପାଠପଢାରେ ଶ୍ରେଷ୍ଠ ହେବେ ଏହାର କିଛି ମାନେନାହିଁ l
ପ୍ରତ୍ୟେକ ପିଲା ଏକ ନିର୍ଦ୍ଦିଷ୍ଟ ପ୍ରତିଭା ସହିତ ଜନ୍ମ ନେଇଥାନ୍ତି ଏବଂ ସେହି ପ୍ରତିଭା ବ୍ୟକ୍ତି ବ୍ୟକ୍ତିଙ୍କଠାରୁ ଭିନ୍ନ ହୋଇଥାଏ l କିନ୍ତୁ ଅଭିଭାବକମାନେ ପିଲାର ଅନ୍ତର୍ନିହିତ ପ୍ରତିଭା ଠିକ୍ ଭାବେ ସନ୍ଧାନ ନ କରି ସମାଜରେ, ପରିବାରରେ, ବନ୍ଧୁବାନ୍ଧବ ତଥା ସହକର୍ମୀମାନଙ୍କ ଆଗରେ ନିଜର ଆତ୍ମବଡ଼ିମା ପାଇଁ ଅନାବଶ୍ୟକ ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ପୋଷଣ କରି ନିଜ ପିଲାଙ୍କୁ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇଥାଆନ୍ତି l ଉକ୍ତ ପାଠ୍ୟକ୍ରମ ପାଇଁ ସେ ପିଲାର ଯୋଗ୍ୟତା, ଦକ୍ଷତା ତଥା ଆଗ୍ରହ ଅଛି କି ନାହିଁ ତାହା ସେମାନେ କେବେ ଅନୁଶୀଳନ କରନ୍ତି ନାହିଁ। ଫଳସ୍ବରୂପ ଏପରି ଛାତ୍ରୀଛାତ୍ରମାନଙ୍କ ଚାହିଦା ପୂରଣ କରିବା ପାଇଁ ଶିକ୍ଷାର ମାତ୍ରାଧିକ ବ୍ୟବସାୟୀକରଣ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଥାଏ। ଯେଉଁ ଛାତ୍ର ବି.ଏ. କିମ୍ବା ବି.ଏସସି. ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅଯୋଗ୍ୟ ସେମାନେ ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମରେ ନାମଲେଖାଇବାକୁ ଯୋଗ୍ୟ ହୋଇପାରୁଛନ୍ତି। ଏଥିରୁ ନିଶ୍ଚିତ ଅନୁମାନ କରି ପାରୁଥିବେ ଆମ ଶିକ୍ଷା ବ୍ୟବସ୍ଥାର ଗତି କୁଆଡେ ଯାଉଛି l ବହୁ ଛାତ୍ରୀଛାତ୍ର ଅର୍ଥ ବଳରେ ନିମ୍ନମାନର ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖାଇ ଡାକ୍ତର ଇଞ୍ଜିନିୟର ତ ହୋଇଯାଉଛନ୍ତି କିନ୍ତୁ ଉକ୍ତ ପାଠ୍ୟକ୍ରମର ମହତ୍ତ୍ୱ ବୁଝିବାକୁ ଅସମର୍ଥ ହେଉଛନ୍ତି; ଯାହାଦ୍ୱାରା ଉଚ୍ଚଶିକ୍ଷିତ ବେକାରି ସମସ୍ୟା ଉପୁଜୁଛି l ବ୍ୟୟବହୁଳ ଶିକ୍ଷା ଶେଷକରି କର୍ମନିଯୁକ୍ତି ନ ପାଇ ବିଭିନ୍ନ ଆପରାଧିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି ତଥା ନିରାଶ ହୋଇ ଆତ୍ମହତ୍ୟା କରିବାକୁ ବି ପଛାଉ ନାହାନ୍ତି l
ବୃତ୍ତି ବୃତ୍ତି ମଧ୍ୟରେ ତାରତମ୍ୟ ଆମଦେଶରେ ସର୍ବାଧିକ। ତେଣୁ ସମସ୍ତେ ଉଚ୍ଚ ଦରମାର ବୃତ୍ତିରେ ରହିବାକୁ ଚାହାନ୍ତି। ଏହି ତାରତମ୍ୟ ସମାଜରେ ବର୍ଗୀକରଣ କରିବାକୁ ପ୍ରେରଣା ଦେଇଥାଏ। ଶିକ୍ଷା ପରି ସମସ୍ତ ବୃତ୍ତିକୁ ସମାନ ଦର୍ଜା ଦେଇ ଏହି ତାରତମ୍ୟକୁ କମାଇବାକୁ ପ୍ରୟାସ କରାଯିବା ଉଚିତ; ଯାହାଦ୍ୱାରା ଅଯଥା ପ୍ରତିଯୋଗିତା ମନୋଭାବର ଅବସାନ ଘଟିପାରିବ। ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ନିଜ ନିୟନ୍ତ୍ରଣକୁ ଆଣି ଆମ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍ବତନ୍ତ୍ର ନୀତି ନିର୍ଦ୍ଧାରଣ କରିବା ଆବଶ୍ୟକ।
ସୂଚନାପ୍ରଯୁକ୍ତିବିତ୍
ମୋ:୯୩୪୩୯୩୫୩୪୧
Twitter-@DSMOdisha