‘ଶିକ୍ଷାର ମାନ ବଢ଼ିଲେ ଆସିବ ପରିବର୍ତ୍ତନ’ – ନିଆରା ବ୍ୟକ୍ତିତ୍ୱ ସନାତନ

ସିମୁଳିଆ, ୪ା୧୧(ସନ୍ତୋଷ କୁମାର ନାୟକ)- ଚାକିରି ଜୀବନରୁ ଅବସର ନେବା ପରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା,ଶିକ୍ଷାର ଗୁଣାତ୍ମକ ବିକାଶ ଓ ସମାଜସେବା ଭଳି ନାନା କାର୍ଯ୍ୟରେ ସେ ନିରନ୍ତର ଲାଗି ରହିଛନ୍ତି। ଏଥିସହିତ ସେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ବୟସ୍କଙ୍କ ପାଇଁ ସ୍ବାସ୍ଥ୍ୟ ଶିବିର ଆୟୋଜନ ଭଳି କାର୍ଯ୍ୟ କରି ନିଜ ଅଞ୍ଚଳରେ ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହୋଇ ପାରିଛନ୍ତି। ଶିକ୍ଷାର ପ୍ରସାର ସାଙ୍ଗକୁ ମାନ ବୃଦ୍ଧି ଘଟିଲେ, ସାମାଜିକ ପରିବର୍ତ୍ତନ ଆସିବ ବୋଲି ସେ ବିଶ୍ୱାସ ରଖି କାର୍ଯ୍ୟ କରୁଥିବା କହିଛନ୍ତି ‘ସିମୁଳିଆ ଗୌରବ’ ସମ୍ମାନ ଲାଭ କରିଥିବା ତଥା ନିଆରା ବ୍ୟକ୍ତିତ୍ୱର ଅଧିକାରୀ ସନାତନ ବେହେରା।
ସନାତନଙ୍କ ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ପୁରୁଷୋତ୍ତମପୁର ପଞ୍ଚାୟତ ଅଧୀନ ପୀଠାଖିଆପଦା ଗ୍ରାମରେ। ସ୍ଥାନୀୟ ବାଲିଖଣ୍ଡ ସ୍କୁଲରୁ ଅଷ୍ଟମ ଶ୍ରେଣୀ ପାଶ୍‌ କରି ୧୫ଟଙ୍କା ବୃତ୍ତି ପାଇ ଭଦ୍ରକ ହାଇସ୍କୁଲରେ ନାମ ଲେଖାଇଥିଲେ। ପରେ ବାସୁଦେବପୁର କଲେଜରୁ ପିୟୁ ସାଇନ୍ସ ପଢିଥିଲେ ା ୧୯୭୩ରେ ଲଙ୍ଗଳେଶ୍ୱରରୁ ସିଟି ପାସ୍‌କରି ସର୍ବମଙ୍ଗଳା ୟୁପି ସ୍କୁଲରେ ଶିକ୍ଷକ ରୂପେ ନିଯୁକ୍ତି ପାଇଥିଲେ ା ଦୀର୍ଘ ୩୨ବର୍ଷ ଶିକ୍ଷକତା କରି ୨୦୦୫ରେ ଅବସର ନେଇଛନ୍ତି। ନିଜ ଅଞ୍ଚଳରେ ଶିକ୍ଷାର ପ୍ରସାର ଲାଗି ସେ ନିଜର ୬ଗୁଣ୍ଠ ଜମି ବିକ୍ରିକରି ପୀଠାଖିଆପଦା ପ୍ରାଥମିକ ବିଦ୍ୟାଳୟର ମୂଳଦୁଆ ସ୍ଥାପନ କରିଥିଲେ ା ସେ ଦୁଇଥର ନିଜ ଗ୍ରାମରେ ପ୍ରତିଷ୍ଠିତ ବିଦ୍ୟାଳୟର ସଭାପତି ଥିଲେ। ବର୍ତ୍ତମାନ ସ୍ଥାନୀୟ ବାଲିଖଣ୍ଡ କଲେଜର ସଭ୍ୟ ରହିବା ସହିତ ବରିଷ୍ଠ ନାଗରିକ ମଞ୍ଚ, ଅବସର କର୍ମଚାରୀ ସଂଘ, ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ଇତ୍ୟାଦି ବିଭିନ୍ନ ଅନୁଷ୍ଠାନର ସଭାପିତି ରୂପେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଶିକ୍ଷାନୁଷ୍ଠାନ ଓ ସମାଜସେବା କାର୍ଯ୍ୟ ତାଙ୍କୁ ମିଳିଛି ସିମୁଳିଆ ଗୌରବ ସମ୍ମାନ ା ଜଣେ ଆଦର୍ଶ ବ୍ୟକ୍ତିତ୍ୱ ଓ ଶିକ୍ଷକ ଭାବେ ତାଙ୍କୁ ଗତ ୨୦୦୫ ରେ ଓଡ଼ିଶା ରାଜ୍ୟପାଳଙ୍କ ଦ୍ୱାରା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସମ୍ମାନିତ ହୋଇଛନ୍ତି। ୭୨ବର୍ଷରେ ଆଜି ବି ସେ ବେଶ୍‌ ଚଳଚଞ୍ଚଳ ରହିଛନ୍ତି । ନିଜ ଅଞ୍ଚଳକୁ ସେ ତାଙ୍କ କର୍ମକ୍ଷେତ୍ରରେ ପରିଣତ କରି କାର୍ଯ୍ୟ କରୁଛନ୍ତି । ଶିକ୍ଷାର ବିକାଶ ଲାଗି ଯୁବପିଢି ଓ ବୁଦ୍ଧିଜୀବୀ ଆଗେଇ ଆସିବା ଦରକାର ଏବଂ ଶିକ୍ଷାନୁଷ୍ଠାନଗୁଡିକ ରାଜନୀତିଠାରୁ ଊଦ୍ଧ୍ୱର୍ର୍ରେ ରହିବା ଉଚିତ ବୋଲି ସେ କହିଛନ୍ତି। ସନାତନଙ୍କ ସ୍ତ୍ରୀ କୌଶଲ୍ୟା ଜଣେ ଗୃହିଣୀ। ନିଜର ଦୁଇକନ୍ୟାଙ୍କୁ ବିବାହ କରାଇ ଦେଇଥିବାବେଳେ ବଡପୁଅ ଅଧ୍ୟାପନା, ସାନପୁଅ ବ୍ୟବସାୟୀ ଭାବେ କାର୍ଯ୍ୟ କରୁଛନ୍ତି। ନିଜ ଅଞ୍ଚଳରେ ଶିକ୍ଷାନୁଷ୍ଠାନର ବିକାଶ ଲାଗି ଶେଷ ଜୀବନ ପର୍ଯ୍ୟନ୍ତ ଉଦ୍ୟମ ଜାରିରଖିବେ ବୋଲି ସନାତନ କହିଛନ୍ତି।