ଶିକ୍ଷାର ମୂଳଦୁଆ ସଜାଡୁଛି ‘ଥିଙ୍କ୍‌ ଜୋନ୍‌’

କଟକ ଅଫିସ,୧୭।୫: ରାଜ୍ୟରେ ପ୍ରାଥମିକ ଶିକ୍ଷାର ମୂଳଦୁଆ ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଗୋଟିଏ ଯୁବଗୋଷ୍ଠୀ। ୧୨ ଜଣଙ୍କୁ ନେଇ ଗଠିତ ହୋଇଥିବା କଟକର ଏହି ଅନୁଷ୍ଠାନ ଥିଙ୍କ ଜୋନ ନାଁରେ ଏବେ ପରିଚିତ ହେଉଛି। ଏବେ ସୁଦ୍ଧା ୫୦୦ରୁ ଅଧିକ ଗ୍ରାମରେ କାର୍ଯ୍ୟକ୍ରମ ଆୟୋଜନ କରିସାରିଛି ଏହି ଅନୁଷ୍ଠାନ। ୪ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଏଥିରେ ସାମିଲ ହୋଇ ଫୋନ ଯୋଗେ ଶିକ୍ଷାଲାଭ କରୁଛନ୍ତି। ୩ରୁ ୧୦ ବର୍ଷର ଶିଶୁଙ୍କୁ ନିଃଶୁଳ୍କ ପ୍ରାଥମିକ ଶିକ୍ଷା ଦେବାରେ ଏହି ଅନୁଷ୍ଠାନ କାମ କରୁଛି।
୨୦୧୪ରେ ଗଠିତ ଏହି ଅନୁଷ୍ଠାନର ନେତୃତ୍ୱ ନେଇଥିଲେ ବିନାୟକ ଆଚାର୍ଯ୍ୟ। ପ୍ରଥମେ ସାମାଜିକ କାର୍ଯ୍ୟ କରୁଥିବା ଏହି ଅନୁଷ୍ଠାନ ପରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକାଶ ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଥିଲା। କଟକ ଜିଲାର ବିଭିନ୍ନ ଗ୍ରାମକୁ ଯାଇ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ଅନୁଷ୍ଠାନର ଯୁବଗୋଷ୍ଠୀ। ଅଙ୍ଗନୱାଡ଼ିରେ ପଢୁଥିବା ପିଲାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଏବେ ଖୋର୍ଦ୍ଧା, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଜିଲାରେ ୫୦୦ରୁ ଅଧିକ ଗ୍ରାମରେ ଅଭିଭାବକଙ୍କ ସହଯୋଗରେ ପିଲାଙ୍କୁ ପ୍ରାଥମିକ ଶିକ୍ଷା ଦେଉଛି ଏହି ଅନୁଷ୍ଠାନ। ୪-ଜି ଯୁଗରେ ମଧ୍ୟ ଅନୁଷ୍ଠାନ ୨-ଜି ମୋବାଇଲ ବ୍ୟବହାରକାରୀଙ୍କୁ ଗୁରୁତ୍ୱ ଦେଇ ଶିକ୍ଷାଦାନ କରୁଛି। ଯେଉଁମାନେ ୨-ଜି ମୋବାଇଲ ବ୍ୟବହାର କରୁଛନ୍ତି, ସେମାନଙ୍କ ପିଲାଙ୍କୁ ଫୋନ କଲ୍‌ ଜରିଆରେ ଅତ୍ୟାଧୁନିକ ଶୈଳୀରେ ଶିକ୍ଷା ଦିଆଯାଉଛି। ବିଭିନ୍ନ ଗାଁକୁ ଯାଇ ୧୦ ବର୍ଷରୁ କମ୍‌ ଶିଶୁଙ୍କ ପରିବାରକୁ ଯୋଗାଯୋଗ କରି ସେମାନଙ୍କ ଶୈକ୍ଷିକ ବିକାଶକୁ ନଜରରେ ରଖି ସ୍ବତନ୍ତ୍ର ପ୍ଲାନ ପ୍ରସ୍ତୁତ କରାଯାଏ। କେଉଁ ଶିଶୁ କେଉଁ କ୍ଷେତ୍ରରେ ଦୁର୍ବଳ ରହିଛି, ତାହା ଜାଣିବା ପରେ ଫୋନ ଯୋଗେ ସ୍ବତନ୍ତ୍ର ଶିକ୍ଷା ଦିଆଯାଉଛି। ଆଇବିଆର୍‌ ଓ ଭଏସ୍‌ ବ୍ରଡକାଷ୍ଟ ମାଧ୍ୟମରେ ଏହି ଶିକ୍ଷା ପ୍ରଦାନ କରୁଛି ଅନୁଷ୍ଠାନ। ଲକ୍‌ଡାଉନ ସମୟରେ ଅନୁଷ୍ଠାନ ଫୋନ ନମ୍ବର ଜାରି କରିଛି। ଏହି ନମ୍ବରକୁ ମିସ୍‌ଡ କଲ ଦେଉଥିବା ଅଭିଭାବକଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଉଛି। ୧୨ ଜଣ ଯୁବଗୋଷ୍ଠୀ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା ବେଳେ ପ୍ରତ୍ୟେକ ଗାଁରେ ଜଣେ ଲେଖାଏ ସ୍ଥାନୀୟ ଯୁବକ ମଧ୍ୟ ରହିଛନ୍ତି। ଏହାଛଡ଼ା ଗାଁର ଜଣେ ମେଧାବୀ ବିଦ୍ୟାର୍ଥୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି।

Share