ଶିକ୍ଷା ପାଇଁ ଶୋଇବା ସମୟ କମୁଛି

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ଓଡ଼ିଶା ଅଭିବାଭକ ମହାସଂଘ ପକ୍ଷରୁ ‘ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ଶିଶୁ ସ୍ବାସ୍ଥ୍ୟ’ ଶୀର୍ଷକ କର୍ମଶାଳା ଶୁକ୍ରବାର ଇମେଜ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅତିଥିଭାବେ ଯୋଗଦେଇ କହିଥିଲେ, ବେସରକାରୀ ବିଦ୍ୟାଳୟମାନେ ସକାଳ ୬ଟାରୁ ସ୍କୁଲ ଖୋଲୁଛନ୍ତି। ଏହା ଶିଶୁମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ବିକାଶ କରିବା ପାଇଁ ରାଜ୍ୟ ସରକାର ସର୍ବଦା କାର୍ଯ୍ୟ କରୁଛନ୍ତିି। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଶିକ୍ଷାର ବିଭିନ୍ନ ଦିଗ ଉପରେ ବର୍ଣ୍ଣନା କରିଥିଲେ। ଆଜିକାଲି ପିଲାମାନେ ଶିକ୍ଷା ପଛରେ ଧାଇଁ ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁନାହାନ୍ତି। ଠିକ୍‌ ସମୟରେ ଓ ପର୍ଯ୍ୟାପ୍ତ ପରିମାଣରେ ନ ଶୋଇଲେ ଶିଶୁଙ୍କ ମାନସିକ, ଶାରୀରିକ, ବୌଦ୍ଧିକ ଓ ସର୍ବସମ୍ପନ୍ନ ବିକାଶ ଠିକ୍‌ ଭାବେ ହୋଇପାରିବ ନାହିଁ। ତେଣୁ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି କର୍ମଶାଳାରେ ମତପ୍ରକାଶ ପାଇଛି। ଏଥିରେ ପ୍ରାୟ ୩୦୦ ବ୍ୟକ୍ତିବିଶେଷ ଯୋଗଦେଇ ନିଜ ନିଜର ମତାମତ ଓ ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନା କରିଥିଲେ। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ଓଏସ୍‌ସିପିସିଆର୍‌ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପରାମର୍ଶଦାତା ବିଜୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ମନୋଜ ଜେନା ଧନ୍ୟବାଦ ଦେଇଥିଲେ। ମହାସଂଘର ସହଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share