ଶିକ୍ଷା ବିଭାଗର ନିଷ୍ପତ୍ତିକୁ ଓଷ୍ଟାର ବିରୋଧ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ରାଜ୍ୟ ସରକାର ଦେଇଥିବା ପ୍ରେସ୍‌ ଇସ୍ତାହାରକୁ ବିରୋଧ କରାଯାଇଛି। ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ସରକାର ଶିକ୍ଷକ ‘ମୁତୟନ’ ମାନସିକତାରୁ ଓହରି ଶୂନ୍ୟ ପଡ଼ିଥିବା ପଦବୀରେ ଶିକ୍ଷକ ନିଯୁକ୍ତି କରନ୍ତୁ। ମୁତୟନ ଶବ୍ଦ ଅନ୍ୟ କର୍ମଚାରୀଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇପାରେ, କିନ୍ତୁ ଶିକ୍ଷାଦାନ କ୍ଷେତ୍ରରେ ମୁତୟନ ବା ଡିପ୍ଲୟମେଣ୍ଟ ଛାତ୍ର ଶିକ୍ଷକଙ୍କ ମଧ୍ୟରେ ଜୀବନ୍ତ ସମ୍ପର୍କ ସୃଷ୍ଟି କରିପାରିବ ନାହିଁ। ତେଣୁ ଏଭଳି ମାନସିକତାରୁ ସରକାର ଓହରନ୍ତୁ ବୋଲି ଓଷ୍ଟା ପକ୍ଷରୁ ଅନୁରୋଧ କରାଯାଇଛି।
ଉଲ୍ଲେଖଯୋଗ୍ୟ, ବୁଧବାର ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପ୍ରେସ୍‌ ଇସ୍ତାହାର ମାଧ୍ୟମରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ କେତେକ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ପ୍ରକାଶ ପାଇଛି। ଶିକ୍ଷାବିଭାଗରେ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବାକୁ ରାଜ୍ୟ ସରକାର ଯାହା ଯାହା ନିଷ୍ପତ୍ତି ନେବେ ତାକୁ ଓଷ୍ଟା ସ୍ବାଗତ କରିବ ସତ କିନ୍ତୁ ଶିକ୍ଷକର ପଦମର୍ଯ୍ୟାଦା, ଶିକ୍ଷାର ମୌଳିକତା ନଷ୍ଟ ହେଲାଭଳି କୌଣସି ନିଷ୍ପତ୍ତି ନେଲେ ତାହାକୁ ସଙ୍ଗଠନ ଅତୀତରେ ବିରୋଧ କରିଛି ଏବେ ମଧ୍ୟ ବିରୋଧ କରିବ ବୋଲି ଗୁରୁବାର ଏକ ପ୍ରେସ୍‌ ବିବୃତିିରେ ପ୍ରକାଶ କରିଛି। ରାଜ୍ୟରେ ମାଧ୍ୟମିକ ଶିକ୍ଷାରେ କେବଳ ୨୦ ହଜାରରୁ ଅଧିକ ଶିକ୍ଷକ ପଦ ଖାଲିପଡ଼ିଛି। ୫ ହଜାର ସରକାରୀ ବିଦ୍ୟାଳୟ ମଧ୍ୟରୁ ୪ ହଜାରରୁ ଊର୍ଦ୍ଧ୍ୱ ପ୍ରଧାନଶିକ୍ଷକ ପଦ ଖାଲି, ଅନୁଦାନପ୍ରାପ୍ତ ବା ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କେହି ପ୍ରଧାନଶିକ୍ଷକ ନାହାନ୍ତି। ସମସ୍ତ ବିଦ୍ୟାଳୟରେ ଭାରପ୍ରାପ୍ତ ବରିଷ୍ଠ ଶିକ୍ଷକ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଉଛନ୍ତି। ଶିକ୍ଷକ ଶୂନ୍ୟତାରୁ ଅନେକ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଭାଙ୍ଗି ଯିବାକୁ ବସିଲାଣି। ଏତିକି ବେଳେ ସରକାର ଶିକ୍ଷକ ମୁତୟନ ନ କରି ନିଯୁକ୍ତି ଦିଅନ୍ତୁ ବୋଲି ସଙ୍ଗଠନ ପକ୍ଷରୁ ଦାବି ହୋଇଛି। ଯଦି ଏ ନେଇ ସରକାର ଯଥାଶୀଘ୍ର କିଛି ପଦକ୍ଷେପ ନ ନିଅନ୍ତି ତେବେ ସଙ୍ଗଠନ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦୃଢ଼ ଚେତାବନୀ ଦିଆଯାଇଛି।

Share