ଶିକ୍ଷା ମାରଣ ନୀତିକୁ ଦଳିତ ଆଦିବାସୀ ମହାସଂଘର ବିରୋଧ

ବାରିପଦା ଅଫିସ,୨୩ା୧୧- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ମାରଣନୀତିକୁ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ବିରୋଧ କରାଯାଇଛି। ମହାସଂଘର ସଭାପତି ରାକେଶ କୁମାର ସିଂଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ଏକ ରାଲିିରେ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପଖରିଆଲଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଥିଲେ। ସଂଘ ପକ୍ଷରୁ ଜିଲା ପ୍ରଶାସନ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ଏକ ଦାବିପତ୍ର ପଠାଯାଇଛି। ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟରେ ଅହେତୁକ ଫି’ ବୃଦ୍ଧିକୁ ଅବିଳମ୍ବେ ପ୍ରତ୍ୟାହାର କରାଯିବା ଏହି ଦାବିପତ୍ରରେ ଉଲ୍ଲେଖ ରହିଛି। ଫି’ ବୃଦ୍ଧି ଯୋଗୁଁ ବହୁ ଗରିବ, ଦଳିତ ଓ ଆଦିବାସୀ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ସେମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ନେଇ ମଧ୍ୟ ଆଶଙ୍କା ରହିଛି। ଏହା ସହିତ ବାରିପଦାସ୍ଥିତ ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଥିବା ସମସ୍ତ ସେଲ୍ଫ ଫାଇନାନ୍ସ କୋର୍ସ ଗୁଡିକୁ ନିୟମିତ କରିବା ପାଇଁ ମଧ୍ୟ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପସଭାପତି କାରୁ ସୋରେନ, ସମ୍ପାଦକ ଅନନ୍ତ ମୁର୍ମୁ, ବାରିପଦା ବ୍ଲକ ସଭାପତି ଧର୍ମପଦ ସିଂ, ଜିଲା ଯୁବ କ୍ଷେତ ମଜଦୁର କଂଗ୍ରେସ ସଭାପତି ଅଂଶୁମାନ ସିଂ, ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଭାପତି ଧରମରାଜ ହାଁସଦା, ଜିଲା ଛାତ୍ର କଂଗ୍ରେସ ସଂଯୋଜକ ଆଶିଷ କୁମାର ବାରିକ, ଜିଲା କଂଗ୍ରେସ ମିଡିଆ ସେଲ ସଂଯୋଜକ ଯଶୋବନ୍ତ କଲିଆପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।