ଶିକ୍ଷା ସବୁ ସମସ୍ୟାର ସମାଧାନ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଶିକ୍ଷା ସମସ୍ତ ସମସ୍ୟାର ସମାଧାନ କରିପାରେ। ଉପଯୁକ୍ତ ଶିକ୍ଷା ପାଇପାରିଲେ ଜୀବନରେ ଶାନ୍ତି ଓ ସଫଳତା ମିଳେ। ଶିକ୍ଷା ସମସ୍ତଙ୍କର ଅଧିକାର ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ସୁଇଜରଲାଣ୍ଡ ରାଷ୍ଟ୍ରଦୂତ ଏବଂ ମିଶନ୍‌ ମୁଖ୍ୟ ଡ. ଆନେଡ୍ରେସ୍‌ ବମ୍‌। ସୋମବାର କିସ୍‌ ଓ କିଟ୍‌ ପରିଦର୍ଶନ କରିବାକୁ ଆସିଥିବା ଅବସରରେ କିସ୍‌ର ୨୭ହଜାର ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ, ଅନ୍ୟକୁ ଅନୁକରଣ କରିବା ଉଚିତ୍‌ ନୁହେଁ। ନିଜର ସୃଜନଶୀଳତା ଉପରେ ଅଧିକ ଗୁରୁତ୍ୱ ଦେବା ସହ ଛାତ୍ରୀଛାତ୍ରମାନେ ଭଦ୍ର ଓ ଶୃଙ୍ଖଳିତ ହେବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେ କିଟ୍‌ର ବିଭିନ୍ନ କ୍ୟାମ୍ପସ୍‌ ଓ କିସ୍‌ର ବିଭିନ୍ନ ୟୁନିଟ୍‌ ବୁଲି ଦେଖିଥିଲେ। ଅନ୍ୟତମ ଅତିଥି ଭାବେ ସୁଇଜରଲାଣ୍ଡ ସାଂସଦ ନିକୋଲାସ୍‌ ସାମୁଏଲ ଗଗର୍‌ କିସ୍‌ ପରିଦର୍ଶନ କରିଥିଲେ। କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣରେ ସୁଇଜରଲାଣ୍ଡ ରାଷ୍ଟ୍ରଦୂତ ଏବଂ ସାଂସଦ କିଟ୍‌ ଓ କିସ୍‌ର ପରିଦର୍ଶନ କରିଥିବାରୁ ଛାତ୍ରୀଛାତ୍ରମାନେ ବେଶ୍‌ ଉତ୍ସାହିତ ହୋଇଛନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମରେ କିସ୍‌ର ସମ୍ପାଦକ ଆର୍‌.ଏନ୍‌. ଦାଶ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପ୍ରଶାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Share