Categories: ଗଞ୍ଜାମ

ଶିକ୍ଷା ସମୀକ୍ଷା ବୈଠକ: ପ୍ରତି ସ୍କୁଲରେ ନ୍ୟୁଟ୍ରିସନ ଗାର୍ଡେନ ବାଧ୍ୟତାମୂଳକ

ଛତ୍ରପୁର,୨୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଶିକ୍ଷା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ସ୍କୁଲଗୁଡିକରେ ପାଇଖାନା, ପାନୀୟ ଜଳ, ପ୍ରଧାନଶିକ୍ଷକ ରୁମ୍‌ ନିହାତି ଆବଶ୍ୟକ। ଏଥିସହ ସ୍କୁଲକୁ ସଫା ରଖିବା ସହ ଆକର୍ଷଣୀୟ କରିବା, ଶିକ୍ଷାର ମାନ ବୃଦ୍ଧି ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ପ୍ରତି ସ୍କୁଲରେ ନ୍ୟୁଟ୍ରିସନ ଗାର୍ଡେନ ପ୍ରତିଷ୍ଠା କରିବାକୁ କୁହାଯାଇଛି ା ଏହି ବଗିଚାରେ ଫଳ , ଫୁଲ ସହ ପନିପରିବା ଲଗାଇବାକୁ ଜିଲାପାଳ କହିଥିଲେ। ତେଜପତ୍ର, ଅମୃତଭଣ୍ଡା, ଶଜନା ଓ ପିଜୁଳି ଗଛ ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଇଓ ଅଫିସ ଓ ସ୍କୁଲମାନଙ୍କରେ ରେଜିଷ୍ଟର ରହୁନି। କେଉଁମାନେ କେଉଁଠିକୁ ଯାଇଛନ୍ତି ଏବଂ କ’ଣ ପାଇଁ ଯାଉଛନ୍ତି ସେ ସମ୍ପର୍କରେ ରେଜିଷ୍ଟରରେ ଉଲ୍ଲେଖ ରଖିବା ବାଧ୍ୟତାମୂଳକ। ଛତ୍ରପୁରସ୍ଥିତ ଅନ୍‌ସ୍ଲୋ ହାଇସ୍କୁଲକୁ ଏକ ମଡେଲ ସ୍କୁଲ କରାଯିବ। କ’ଣ ସବୁ ଆବଶ୍ୟକ ତାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି। କ୍ଲାସ ରୁମ୍‌ରେ ମୋବାଇଲ ଫୋନ ବ୍ୟବହାର ଏବଂ ପାନ ଓ ସିଗାରେଟ୍‌ ନେବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବିଇଓମାନେ ନିୟମିତ ସ୍କୁଲ ପରିଦର୍ଶନ କରିବାକୁ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୨୨ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରହିଛି। ବର୍ତ୍ତମାନ ୭ ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ଚାଲିଛି, ଆହୁରି ୬ଟିରେ ଖୋଲିବାକୁ ପଦକ୍ଷେପ ନିଆଯାଇଛି। ସେଥିରୁ ୫ ଟିରେ ଖୁବ୍‌ ଶୀଘ୍ର ହଷ୍ଟେଲ ଖୋଲିବ ବୋଲି ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା କହିଥିଲେ ା ଉକ୍ତ ହଷ୍ଟେଲ ଗୁଡିକରେ ରହୁଥିବା ପ୍ରତି ଛାତ୍ରୀଛାତ୍ରଙ୍କ ପାଇଁ ୧୫ କିଗ୍ରା ଚାଉଳ ୧ ଟଙ୍କାରେ ଜିଲା ଯୋଗାଣ ଅଧିକାରୀ ଦେବେ। ଏହାକୁ ତୁରନ୍ତ ଉଠାଇବାକୁ କୁହାଯାଇଥିଲା। ପରିମଳ ବିଦ୍ୟାଳୟ ପାଇଁ ଜିଲାସ୍ତରରେ ୩ ଓ ପ୍ରତି ବ୍ଲକସ୍ତରରେ ଗୋଟିଏ ଲେଖାଏ ଶ୍ରେଷ୍ଠ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସମ୍ମାନିତ କରାଯିବ। ଏଥିସହ ଜିଲାସ୍ତରରେ ୩ ଜଣ ଶ୍ରେଷ୍ଠ ଶିକ୍ଷକ ଏବଂ ପ୍ରତି ବ୍ଲକସ୍ତରରେ ଜଣେ ଲେଖାଏ ଶିକ୍ଷକଙ୍କୁ ସମ୍ମାନିତ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ଗୁରୁଦିବସ ଦିନ ଏହି ସମ୍ମାନିତ କାର୍ଯ୍ୟକ୍ରମର ଆୟୋଜନ ହେବ। ବୈଠକରେ ପ୍ରୋବେସନ ଆଇଏଏସ୍‌, ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ବିନୀତା ସେନାପତିଙ୍କ ସମେତ ବ୍ଲକ ଶିକ୍ଷା ଅଧିକାରୀମାନେ ଉପସ୍ଥିତ ଥିଲେ ା