Advertisement

ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା ତଦନ୍ତ ଭାର ନେଲେ ଡିଏସ୍‌ପି

ଫୁଲବାଣୀ ଅଫିସ, ୨୮ା୮- ମକ.ନୂଆଗାଁ ବ୍ଲକ ସ୍ଥିତ କୁଡ଼ୁତୁଲି ସରକାରୀ ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେବା ଘଟଣାକୁ ନେଇ ଜିଲାରେ ଅସନ୍ତୋଷ ସୃଷ୍ଟି ହୋଇଛି ା ପୋଲିସ ଏହି ଘଟଣାରେ ପ୍ରାଥମିକ ତଦନ୍ତ ପରେ ଏସ୍‌ସି/ଏସଟି ପ୍ରିଭେନସନ ଆକ୍ଟ ଏବଂ ଆଇପିସି ଧାରା ଅନୁସାରେ ୪୮/୧୯ରେ ମାମଲା ରୁଜୁ ହୋଇଛି। ଏହି ଘଟଣାର ତଦନ୍ତ ଭାର ଡିଏସ୍‌ପି ଏସ.କେ.ରାୟଙ୍କୁ ଦିଆଯାଇଥିବା ଏସ୍‌ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଏତେ ସବୁ ପରେ ବି ଜିଲା ଶିକ୍ଷା ବିଭାଗ ପକ୍ଷରୁ କୌଣସି ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ା ଘଟଣାକୁ ଚାପି ଦେବାକୁ ବିଭାଗ ପ୍ରୟାସ କରୁଛି ା ଅନ୍ୟପକ୍ଷରେ ଜିଲା ଶିକ୍ଷାଧିକାରୀ ବିକାଶ ପ୍ରଧାନ କହିଛନ୍ତି, ପୋଲିସ ରିପୋର୍ଟ ଆସିବା ପରେ ଯାହାକିଛି ପଦକ୍ଷେପ ନିଆଯିବ। ସେପଟେ ଶିକ୍ଷୟିତ୍ରୀ ଜଣକ ଭୟରେ ଦିନ କାଟୁଛନ୍ତି। କ. ନୂଆଗାଁ ବ୍ଲକ ଦାୟିତ୍ୱରେ ଥିବା ବାଲିଗୁଡ଼ା ବ୍ଲକ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରୁ ଏ ବିଷୟରେ ଜିଲା ଅଫିସ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ।ଏପରିକି ସ୍କୁଲରେ ୨ ଶିକ୍ଷକ ନ ଥିଲେ ମଧ୍ୟ ବିଇଓ କିଛି ଜାଣି ନ ଥିବା କି କେହି ଛୁଟି ଦରଖାସ୍ତ ଦେଇ ନ ଥିବା କହିଛନ୍ତି। ସୂଚନାଯୋଗ୍ୟ, କୁଡ଼ୁତୁଲି ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ ଜୁଲାଇ ୧୮ ତାରିଖରେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ କାନ୍ଦୁଥିବା ଦେଖି ଅନ୍ୟ ଜଣେ ଶିକ୍ଷୟିତ୍ରୀ କାରଣ ପଚାରିଥିଲେ। ପ୍ରଧାନଶିକ୍ଷକ ତାଙ୍କୁ ଅସଦବ୍ୟବହାର ପ୍ରଦର୍ଶନ କରିଥିବା ସେ କହିଥିଲେ। ପରେ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାରଣା, ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ଅନ୍ୟ ଜଣେ ଶିକ୍ଷକ ଗୀତାଞ୍ଜଳୀଙ୍କ ସହ କଥା ହେଉଥିବା ଶିକ୍ଷୟିତ୍ରୀ ଜଣକଙ୍କୁ ଅଫିସ ରୁମକୁ ଡାକି ତାଗିଦ କରିଥିଲେ। ଏ ନେଇ ଗୀତାଞ୍ଜଳି ଜିଲା ଶିକ୍ଷାଧିକାରୀଙ୍କ ପାଖକୁ ଯାଇ ପ୍ରଧାନଶିକ୍ଷକ ଓ ଅନ୍ୟମାନଙ୍କ ନାମରେ ଅଭିଯୋଗ କରିଥିଲେ। ପ୍ରଧାନଶିକ୍ଷକ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଉପସ୍ଥିତିରେ ଗୀତାଞ୍ଜଳିକୁ ଧମକ ଦେଇ ମୋର କିଛି ଅସୁବିଧା ନାହିଁ। ଯଦି ଚାହିଁବି ତେବେ ତୁମକୁ ଚାକିରିରୁ ବହିଷ୍କାର କରିବି ବୋଲି କହିଥିଲେ ା ଏ ନେଇ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ କ.ନୂଆଗାଁ ଥାନାରେ ଏତଲା ଦେଇଥିଲେ ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share