ଶିଖା ଡାକିବ, ଗଙ୍ଗା ଆସିବ

ଗଙ୍ଗା ଫେରିବ। ଗଙ୍ଗା ଆସିବ। ଦିନେ ସଗର ରଜାର ପୁଅମାନଙ୍କୁ ଉଦ୍ଧାର କରିବା ପାଇଁ ପତିତପାବିନୀ ଗଙ୍ଗାଙ୍କୁ ଆସିବା ପାଇଁ ପଡ଼ିଥିଲା ପୃଥିବୀକୁ। ମୋ ସଂସାର ଯେତେବେଳେ ଭାସିଯାଉଛି ସେତେବେଳେ ଏ ଗଙ୍ଗା ଆସିବନି କେମିତି? ଆ ଗଙ୍ଗା ଆ। ତୋ ପବିତ୍ର ପାଦ ପକେଇ ମୋ ଅସଜଡ଼ା ସଂସାରକୁ ତୁ ସଜାଡ଼ି ଦେଇ ଯା!“
ଓଲିଉଡ୍‌ ମେକର ମହେଶ ହାଜରା ନିର୍ଦ୍ଦେଶିତ ସତ୍ୟ ଜେନାଙ୍କ ‘ରଙ୍ଗମହଲ’ ପ୍ରଯୋଜିତ ନାଟକ ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’ରେ ମୋର ରହିଛି ଏମିତି ଏକ ଲୁହବତୁରା ଆବେଗପୂର୍ଣ୍ଣ ସଂଳାପ। ଆତୁର ହୋଇ ମୁଁ ବାହାରକୁ ଅନେଇ ଡାକୁଛି। କ’ଣ ଘଟିବ ସେକଥା ଜାଣେନି। ସାଥୀ କଳାକାରମାନେ ଜାଣନ୍ତି ନାହିଁ। ଦର୍ଶକମାନେ ବି ଜାଣନ୍ତି ନାହିଁ। ମୋ ପାଟି କିନ୍ତୁ ଚୁପ୍‌ ହେଉନି। ମଞ୍ଚ ସାରା ମୁଁ ବୁଲିବୁଲି ଡାକୁଛି ‘ଆ ଗଙ୍ଗା ଆ’। ତା’ପରେ କ’ଣ ଘଟୁଛି ସେକଥା ଦେଖିବା ପାଇଁ ଆପଣଙ୍କୁ ନାଟକ ଦେଖିବାକୁ ପଡ଼ିବ ବୋଲି କହନ୍ତି ମାମା ଓରଫ୍‌ ମମତା ମହାପାତ୍ର।
ସେ ଯାହା ବି ହେଉ ପୂର୍ବରୁ ପ୍ରାୟତଃ ନେଗେଟିଭ୍‌ ଭୂମିକାରେ ଦେଖିବାକୁ ମିଳୁଥିବା ମାମାଙ୍କୁ ଏଥର ଦର୍ଶକ ପଜିଟିଭ୍‌ ଭୂମିକାରେ ଦେଖିବାକୁ ପାଇବେ। ତାଙ୍କର ଚରିତ୍ରର ନାମ ରହିଛି ଶିଖା। ଶିଖା ଗୋଟେ କୋଟିପତି ଘରର କୁଳବୋହୂ। ତା’ ଉପରେ ନିର୍ଭର କରୁଛି ଘରର ସବୁକିଛି। ଶ୍ୱଶୁରଙ୍କ ପାଇଁ ସେ ବୋହୂ ନୁହେଁ ଝିଅ। ଶାଶୁଙ୍କ ପାଇଁ ସେ ସୁନାନାକୀ ସୁନା ପ୍ରତିମା। ଶାଶୁ ଶ୍ୱଶୁରଙ୍କର ସେ ଆଶା ଭରସା ସବୁକିଛି। ମାମା କହନ୍ତି, ଏମିିତି ଏକ ଚରିତ୍ର ପାଇ ମୁଁ ଖୁସି ଅଛି। ଚରିିତ୍ରଟି ମୋ ମନକୁ ଛୁଇଁଛି। ଭାବୁଛି ନିଶ୍ଚୟ ମୋତେ ଦର୍ଶକ ଗ୍ରହଣ କରିବେ।
ଯାତ୍ରା ରଙ୍ଗମହଲ ପାଇଁ ମାମା ନୂଆ ନୁହନ୍ତି। ଦୁଇବର୍ଷ ଆଗରୁ ସେ ରଙ୍ଗମହଲରେ ଥିଲେ। ପୁଣିଥରେ ରଙ୍ଗମହଲକୁ ଫେରିଆସିଛନ୍ତି। ଏହା ତାଙ୍କୁ ତାଙ୍କର ଘରବାହୁଡ଼ା ପରି ଲାଗୁଛି। ୨୦୦୫ ମସିହାରେ ତ୍ରିରଙ୍ଗା ଗଣନାଟ୍ୟରୁ ମାମା ଅଭିନୟ ଜୀବନ ଆରମ୍ଭ କରିଥିଲେ। ଇତିମଧ୍ୟରେ ତାରପୁର, ତ୍ରିନାଥ, ବିଶ୍ୱ ଦରବାର, ଦର୍ଶକମହଲ, ରଙ୍ଗମହଲ ଆଦି ଅଗ୍ରଣୀ ଯାତ୍ରାନୁଷ୍ଠାନ ସବୁରେ କାର୍ଯ୍ୟ କରି ନିଜ ଅଭିନୟର ଦକ୍ଷତା ପ୍ରତିପାଦନ କରିଛନ୍ତି। ‘ମୋ ପ୍ରେମିକା ନିହାରୀକା’, ‘ତୁମ ସହରକୁ ନମସ୍କାର’, ‘ଶବ ସହ ସତର ବର୍ଷ’, ‘ପାପ ଭଲଲାଗେ ବାପ ଘରେ’, ‘ଧର୍ମ ହଜିଗଲା ଧର୍ମଦାଣ୍ଡରେ’, ‘ଝିଅ ମୁଁ ନମ୍ବର ଓ୍ବାନ୍‌’ ଆଦି ହେଉଛି ତାଙ୍କ ଅଭିନୀତ ଗୋଟିଏ ଗୋଟିଏ ସଫଳ ନାଟକ। ବାପା ଶଶିଭୂଷଣ, ମା’ ଲକ୍ଷ୍ମୀପ୍ରିୟା ଏବଂ ଅଭିନେତା ସ୍ବାମୀ ନିଶିକାନ୍ତ ଓରଫ୍‌ ଟାହିଆଙ୍କ ପ୍ରେରଣା ତାଙ୍କୁ ଆଗକୁ ବାଟ କଢ଼େଇ ନେଉଛି ବୋଲି କହନ୍ତି ଏହି ଅଭିନେତ୍ରୀ।

Share