କାମାକ୍ଷାନଗର, ୧୬।୧୨(ଡି.ଏନ୍.ଏ.) କର୍ମସ୍ଥଳରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଭାରତୀୟ ବାୟୁସେନାର ଜୁନିୟର ଓ୍ବାରେଣ୍ଟ ଅଫିସର ଧନେଶ୍ବର ସାହୁଙ୍କ ଶେଷକୃତ୍ୟ ରବିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ଏହାକୁ ନେଇ ପୈତୃକ ଗ୍ରାମ କାମାକ୍ଷାନଗର ବ୍ଲକ ବାରୁଅଁା (କା)ରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ।
ଧନେଶ୍ବର ରାଜସ୍ଥାନର ନାଲ ବାୟୁସେନା କାର୍ଯ୍ୟାଳୟରେ ନିୟୋଜିତ ଥିଲେ। ଡିସେମ୍ବର ୧ରେ ଡ୍ୟୁଟି ସାରି କ୍ୱାର୍ଟର୍ସକୁ ଫେରିବା ବେଳେ ସେ ଅସାବଧାନତାବଶତଃରୁ ଶିଡିରୁ ଖସିପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେ କୋମାରେ ଥିଲେ। ସେଠାକାର ସେନା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରବିବାର ଏକ ସ୍ବତନ୍ତ୍ର ଗାଡ଼ିରେ ମରଶରୀର ଗ୍ରାମକୁ ଅଣାଯାଇଥିଲା। ସରପଞ୍ଚ ମମତା ମାହୁନ୍ତ, ସମିତିସଭ୍ୟ ଦୀପକ ମାହୁନ୍ତ, ଜିଲା ପରିଷଦ ସଭ୍ୟ ହୃଦାନନ୍ଦ ପରିଡ଼ା, ବାୟୁସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ତୋପସଲାମୀ ଦିଆ ଯିବାପରେ ଅନ୍ତିମ ସଂସ୍କାର କରାଯାଇଥିଲା। ଧନେଶ୍ୱର ୧୯୯୭ରେ ଚାକିରିରେ ଯୋଗଦେଇଥିଲେ। ତାଙ୍କ ଘରେ ମା’, ସ୍ତ୍ରୀ ଏବଂ ୨ ପୁଅ ଅଛନ୍ତି।