ଶିତଳାପଲିରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ନେଇ ଗଞ୍ଜାମ ପ୍ରଶାସନକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିଠାରେ ଥିବା ଟାଟା ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଛି। ଗତ ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟକରି ଗଞ୍ଜାମ ଜିଲା ପ୍ରଶାସନର ପ୍ରଶଂସା କରିଛନ୍ତି।
କରୋନା ସଂକ୍ରମିତଙ୍କ ପାଇଁ ଖୁବ୍‌ କମ୍‌ ଦିନରେ ଗଞ୍ଜାମ ଜିଲା ପ୍ରଶାସନ ଦ୍ୱାରା ୨୦୦ ଶଯ୍ୟା ଓ ୧୫ ଆଇସିୟୁ ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଏକ ପ୍ରଶଂସନୀୟ ପଦକ୍ଷେପ। ଟାଟା ଷ୍ଟିଲର ସହଯୋଗରେ ନିର୍ମାଣ ହୋଇଥିବା ଏହି ହସ୍ପିଟାଲରେ ସାଧାରଣ କରୋନା ୱାର୍ଡ ଏବଂ ଆଇସୋଲେଶନ ୱାର୍ଡ ପୃଥକ ଭାବେ ରହିଛି। ଏମ୍‌କେସିଜି ଗଞ୍ଜାମର ଡାକ୍ତର, ନର୍ସ, ଟେକ୍ନିସିଆନ ଓ ସିଡିଏମ ଏବଂ ପିଏଚ୍‌ଓ କର୍ମୀମାନେ ଏଠାରେ ଚିକିତ୍ସା ସେବା ଯୋଗାଇ ଦେବେ। କରୋନା ସଂକ୍ରମିତଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଅଧିକ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମାଣ ଉପରେ ଓଡ଼ିଶା ସରକାର ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍‌ରେ ଲେଖୁଛନ୍ତି।

Share