Categories: ଜାତୀୟ

ଶିବଭକ୍ତଙ୍କ ପାଇଁ ଦେବଦୂତ ସାଜିଲେ ଯବାନ

ଶ୍ରୀନଗର,୫।୭: ଜୁଲାଇ ୧ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ୪୫ ଦିନ ଯାଏଁ ଏହି ଯାତ୍ରା ଚାଲିବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଆଇଟିବିପି ଯବାନ। ଏହାରି ଭିତରେ ଅମରନାଥକୁ ଯାଉଥିବା ବାଲାଟଲ ରାସ୍ତାରେ ଯାତ୍ରୀମାନେ ଯାତ୍ରା କରୁଥିବା ସମୟରେ ଦେବଦୂତ ସାଜିଥିବା ଯବାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଯାଉଥିବା ସମୟରେ ହଠାତ୍‌ ପାହାଡ଼ରେ ଭୂସ୍ଖଳନ ହୋଇଥିଲା। ଆଉ ବଡ଼ ବଡ଼ ପଥର ଖଣ୍ଡ ଖସି ଯାତ୍ରୀଙ୍କ ଆଡ଼କୁ ଦ୍ରୁତ ଗତିରେ ମାଡି ଆସୁଥିବା ବେଳେ ସୁରକ୍ଷାରେ ମୁତୟନ ଥିବା ଆଇଟିବିପି ଯବାନ ଏହି ପଥରଗୁଡିକୁ ଅଟକାଉଥିବା ଦେଖିବାକୁ ମିଳିଛି। ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଶ୍ରଦ୍ଧାଳୁମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଆଲୋଚନା ହେଉଛି। ତେବେ ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଯବାନଙ୍କ ଏହି ସାହସିକତା ପାଇଁ ପୂରା ଦେଶ ପ୍ରଶଂସା କରିବା ସହ ଗର୍ବ କରିଛି। ଅଗଷ୍ଟ ୧୫ରେ ଏହି ଅମରନାଥ ଯାତ୍ରା ଶେଷ ହେବ।

Share