ଶିବରାତ୍ରିରେ ଶିବଙ୍କୁ ଛାଡ଼ିଲେନି ଚୋର: ସ୍ବପ୍ନେଶ୍ବର ମନ୍ଦିରରୁ ୫୦ ହଜାର ଚୋରି

ପୁରୁଷୋତ୍ତମପୁର,୨୧।୨(ଡି.ଏନ୍‌.ଏ.): ମହାଶିବରାତ୍ରି ଅବସରରେ ଦୁର୍ବୃତ୍ତମାନେ ଶିବଙ୍କୁ ମଧ୍ୟ ଛାଡ଼ିନାହାନ୍ତି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳ ଉପକଣ୍ଠରେ ଥିବା ସ୍ବପ୍ନେଶ୍ବର ମହାଦେବ ମନ୍ଦିରରେ ଗୁରୁବାର ରାତିରେ ଦୁର୍ବୃତ୍ତମାନେ ପଶି ହୁଣ୍ଡି ଭାଙ୍ଗିବା ସହ ଷ୍ଟୋର ରୁମ୍‌ ଚାବି ଭାଙ୍ଗିଦେଇଛନ୍ତି। ମହାଶିବରାତ୍ରି ଉତ୍ସବ ଲାଗି ଦୀପଦାନ ସକାଶେ ଭକ୍ତମାନେ ଦାନ ଦେଇଥିବା ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଷ୍ଟୋର ରୁମ୍‌ରେ ଥିବା ବେଳେ ତାହାକୁ ଚୋରି କରିଛନ୍ତି। ଏଥିସହ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଦାନ ଟଙ୍କା ମଧ୍ୟ ଚୋରିକରି ନେଇଛନ୍ତି। ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।