Categories: ଜାତୀୟ

ଶିମଲା ଆକାଶରେ ଦେଖାଯାଉଛି ସ୍ପେସ୍‌ ଷ୍ଟେଶନ: ମଙ୍ଗଳବାର ପର୍ଯ୍ୟନ୍ତ ଉଡ଼ିବୁଲିବ

ଶିମଲା,୯।୨: ଶିମଲା ଆକାଶରେ ପୃଥିବୀ ପୃଷ୍ଠରୁ ୪୦୦ କିମି ଉଚ୍ଚରେ ଥିବା ସ୍ପେସ୍‌ ଷ୍ଟେଶନ ଦେଖାଯାଉଛି। ଏହା ଏକ ଉଜ୍ଜଳ ତାରା ସଦୃଶ ଦେଖିବାକୁ ମିଳୁଛି। ଏହାକୁ ଦେଖିବା ପାଇଁ ଶିମଲାରେ ଲୋକ ତଥା ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଇଛି। ସ୍ପେସ୍‌ ଷ୍ଟେଶନରେ ଆମେରିକା ଏବଂ ରୁଷ୍‌ର ୬ ଜଣ ମହାକାଶ ବିଜ୍ଞାନୀ ବିଭିନ୍ନ ବିଷୟ ଉପରେ ଗବେଷଣା କରୁଛନ୍ତି। ସ୍ପେସ୍‌ ଷ୍ଟେଶନ ନିର୍ମଳ ଆକାଶରେ ଉତ୍ତର-ପଶ୍ଚିମରୁ ଦକ୍ଷିଣ-ପୂର୍ବ ଦିଗକୁ ଗତି କରୁଥିବାର ଦୃଶ୍ୟ ଶନିବାର ସକାଳ ୭ଟା ୨୦ ମିନିଟ୍‌ରେ ଦେଖାଦେଇଥିଲା। କିଛି ସମୟ ପରେ ଏହା ଦକ୍ଷିଣରୁ ଦକ୍ଷିଣ-ପୂର୍ବର ୩୧ ଡିଗ୍ରୀ ମଧ୍ୟରେ ଲୁଚି ଯାଇଥିଲା। ସେହିପରି ରବିବାର ସକାଳ ୬ଟା ୩୨ ମିନିଟ୍‌ରେ ଏହା ୬ ମିନିଟ୍‌ ପାଇଁ ଆକାଶରେ ଉତ୍ତର-ପଶ୍ଚିମ ଦିଗରେ ଦେଖା ଦେଇଥିଲା। ସୋମବାର ସ୍ପେସ୍‌ ଷ୍ଟେଶନ ସକାଳ ୭ଟା ୨୪ ମିନିଟ୍‌ରେ ଦକ୍ଷିଣ-ପଶ୍ଚିମ ଦିଗର ୧୭ ଡିଗ୍ରୀରେ ଦେଖାଦେବ। ୨ ମିନିଟ୍‌ ପରେ ଏହା ଲୁଚି ଯିବ। ମଙ୍ଗଳବାର ସକାଳ ୬ଟା ୩୭ ମିନିଟ୍‌ରେ ଏହା ଦକ୍ଷିଣ-ପଶ୍ଚିମର ୩୨ ଡିଗ୍ରୀରେ ଦେଖାଦେବ। ୩ ମିନିଟ୍‌ ପରେ ଏହା ଲୁଚିଯିବ।

Share