ଶିମିଳିପାଳରୁ ଉଚ୍ଛେଦକୁ ନେଇ ଖେଜୁରୀ ଗ୍ରାମବାସୀଙ୍କ ବିକ୍ଷୋଭ

ଯଶିପୁର,୨୨ା୧(ଡ଼ି.ଏନ୍‌.ଏ.): ଶିମିଳିପାଳ ମଧ୍ୟରେ ଥିବା ଗୁଡଗୁଡିଆ ପଞ୍ଚାୟତ ଅଧୀନ ଖେଜୁରୀ ଗ୍ରାମର ବାସିନ୍ଦାଙ୍କୁ ଉଚ୍ଛେଦ ଉଦ୍ୟମକୁ ବିରୋଧକରି ବୁଧବାର ଯଶିପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶତାଧିକ ଗ୍ରାମବାସୀ ରରୁଆଁ ଛକଠାରୁ ଏକ ଶୋଭାଯାତ୍ରାରେ ଯାଇ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏସୟୁସିଆଇର ଜିଲା ସମ୍ପାଦକ ସଦ ବଦ୍ରାଙ୍କ ସଭାପତିତ୍ୱରେ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ ଯୋଗ ଦେଇ ଯେଉଁମାନେ ଭିଟାମାଟି ଛାଡ଼ିବା ପାଇଁ ରାଜି ହେବେ ନାହିଁ ସେମାନଙ୍କୁ କେହି ଜୋର ଜବରଦସ୍ତ ଉଚ୍ଛେଦ କରିପାରିବେ ନାହିଁ ବୋଲି କହିଥିଲେ। ଏଥିସହିତ ଖେଜୁରୀ ଗ୍ରାମବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ, କେନାଲ ମରାମତି କରି ଚାଷ ଜମିକୁ ଜଳ ଯୋଗାଇ ଦେବା, ରାସ୍ତାଘାଟ ମରାମତି କରିବା, ଶୌଚାଳୟ ଓ ସ୍କୁଲ ଗୃହ ନିର୍ମାଣ କରିବା ଆଦି ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ବିଡିଓଙ୍କୁ ପ୍ରଦାନ କରାଯାଇଥିଲା। ଭିଟାମାଟିକୁ ବଞ୍ଚାଇବା ପାଇଁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

Share