ଶିମିଳିପାଳରୁ ୨ ଶିକାରୀ ଗିରଫ

ବାରିପଦା ଅଫିସ/ଖୁଣ୍ଟା,୫ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଡୁକୁରା ୱାଇଲ୍ଡ ଲାଇଫ୍‌ ରେଞ୍ଜ ବନ କର୍ମଚାରୀମାନେ ସୋମବାର ରାତିରେ ଶିମିଳିପାଳରୁ ୨ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଖଣ୍ଡାବୁଡା ଗ୍ରାମର ସନିଆ ସିଂ ଓ ଘୋଳମୁଁହା ଗ୍ରାମର ଗବର ସିଂ। ରେଞ୍ଜ ଅଧିକାରୀ ଅନନ୍ତ କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ବହଳଦା ସେକ୍ସନର ଫରେଷ୍ଟର ରଞ୍ଜିତ କୁମାର ଦଣ୍ଡପାଟ ଓ ଫରେଷ୍ଟ ଗାର୍ଡ ହିମାଂଶୁ ମହାନ୍ତଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀମାନେ ଉକ୍ତ ରେଞ୍ଜ ଅଧୀନ କମ୍ପାର୍ଟମେଣ୍ଟ ସଞ୍ଜ-୫ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ରାତ୍ରି ପ୍ରାୟ ୧୦ଟା ସମୟରେ ଅଭିଯୁକ୍ତ ଦ୍ୱୟ ବିଭିନ୍ନ ଶିକାର ସରଞ୍ଜାମ ଧରି ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ବେଳେ ବନ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ବନ କର୍ମଚାରୀମାନେ ସେମାନଙ୍କଠାରୁ ୨ଟି ଟର୍ଚ୍ଚ, ୨ଟି ଧନୁ, ୧୦ଟି ତୀର , ଗୋଟିଏ ଫାସ ,ଗୋଟିଏ କଟୁରି ଓ ଗୋଟିଏ ବସ୍ତା ଜବତ କରିଛନ୍ତି।